ହକି କିମ୍ବଦନ୍ତୀ ବଲବୀରଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକ

0 43

ନୂଆଦିଲ୍ଲୀ : ଭାରତୀୟ ହକିର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବଲବୀର ସିଂ (ସିନିୟର)ଙ୍କର ସୋମବାର ଭୋର ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ମଇ ୮ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିମୋନିଆରେ ପୀଡ଼ିତ ବଲବୀରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା । ସାମାଜିକ କଟକଣା ପାଳନ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି । ବଲବୀରଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କ ମୃତ୍ୟୁ ଖବର ପାଇ ସବୁ କ୍ରୀଡ଼ା କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ୍ ଓ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ବଲବୀରଙ୍କ ପୁରା ନାମ ବଲବୀର ସିଂ ଦୋଷାଞ୍ଝ । କିନ୍ତୁ ତାଙ୍କୁ ସଂକ୍ଷେପରେ ସିନିୟର ବଲବୀର ଭାବେ ସମ୍ବୋଧନ କରାଯାଉଥିଲା । କାରଣ ଭାରତୀୟ ହକିରେ ଆଉ ପାଞ୍ଚଜଣ ବଲବୀର ନାମଧାରୀ ଖେଳାଳି ଥିଲେ । ୧୯୨୩ ମସିହା ଡିସେମ୍ବର ୩୧ ତାରିଖରେ ହରିପୁର-ଖାଲସା ଗ୍ରାମରେ ଜନ୍ମିତ ବଲବୀର ତାଙ୍କ କ୍ୟାରିୟରରେ ଭାରତକୁ ଅନେକ ସଫଳତା ଦେଇଛନ୍ତି । ସେ ଜଣେ ଶ୍ରେଷ୍ଠ ସେଣ୍ଟର ଫରୱାର୍ଡ଼ ଖେଳାଳି ଥିଲେ । ସ୍କୁଲସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଗୋଲକିପର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ସେଣ୍ଟର ଫରୱାର୍ଡ ଖେଳାଳି ଭାବେ ପ୍ରଦର୍ଶନ କରିଥିଲେ । ତାଙ୍କୁ ପାଞ୍ଚ ବର୍ଷ ବୟସରେ ତାଙ୍କର ସ୍ୱାଧୀନତା ସଂଗ୍ରାମୀ ପିତା ସର୍ଦ୍ଦାର ଦଲିପ୍ ସିଂ ତାଙ୍କୁ ଏକ ହକି ଷ୍ଟିକ୍ ଦେଇଥିଲେ । ସ୍କୁଲସ୍ତରୀୟ ଟୁର୍ଣ୍ଣାମେଣ୍ଟ ପରେ ସେ କଲେଜସ୍ତରୀୟ ଟୁର୍ଣ୍ଣାମେଣ୍ଟ ବହୁଦିନ ଧରି ଖେଳିଥିଲେ । ୪୦ ଦଶକରେ ଶିଖ୍ ନ୍ୟାସନାଲ୍ କଲେଜ୍ (ଲାହୋର) ପାଇଁ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ତିନୋଟି ସର୍ବଭାରତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଟିମ୍‌ର ନେତୃତ୍ୱ ନେଇଥିଲେ । ସେହିପରି, ୧୯୪୭ରେ ଅନୁଷ୍ଠିତ ନ୍ୟାସନାଲ୍ ଚାମ୍ପିୟନ୍‌ଶିପ୍‌ରେ ସେ ଅଭିବାଜିତ ପଞ୍ଜାବ ପାଇଁ ଖେଳିଥିଲେ । ୧୯୪୮ରେ ଯେତେବେଳେ ଟ୍ରେନିଂ କ୍ୟାମ୍ପ ପାଇଁ ଖେଳାଳି ନାମ ତାଲିକା ପ୍ରସ୍ତୁତ କରାଗଲା, ସେତେବେଳେ ତାଙ୍କ ନାମ ନଥିଲ; କିନ୍ତୁ ପରେ ଭାରତର ୨୦-ଜଣିଆ ସ୍କ୍ୱାର୍ଡ଼ରେ ସେ ସ୍ଥାନ ପାଇଥିଲେ । ୧୯୪୮ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣପଦକ ଅର୍ଜନ କରିଥିଲା । ଏହା ବଲବୀରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସମ୍ଭବ ହୋଇଥିଲା । ଏହାଛଡ଼ା ୧୯୫୨ରେ ସେ ଭାରତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ନେଇଥିଲେ । ୧୯୫୬ ଚାମ୍ପିୟନ୍ସ ହକି ଟୁର୍ଣ୍ଣାମେଣ୍ଟରେ ସେ ଭାରତର ନେତୃତ୍ୱ ନେଇଥିଲେ ।

hiranchal ad1
Leave A Reply

Your email address will not be published.

2 × four =