ପ୍ରବାସୀ କଲେଣି ନାକେଦମ୍‌

0 150

ଭୁବନେଶ୍ୱର : କରୋନା ମହାମାରୀ ସମଗ୍ର ବିଶ୍ୱରେ ତାହାର କାୟାବିସ୍ତାର କରିଚାଲିଛି । ଆମ ଦେଶ ଭାରତ ମଧ୍ୟ କରୋନା କବଳରେ କବଳିତ ହୋଇ ରହିଛି । ଓଡିଶାରେ କରୋନାର ସ୍ଥିତି ଯଦିଓ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଠାରୁ ଭଲ ରହିଛି ତେବେ ପ୍ରତିଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । ଏହି କାରଣରୁ ସମଗ୍ର ଦେଶରେ ଲକଡାଉନ ବଳବତ୍ତର ଥିବା ବେଳେ ପ୍ରବାସୀ ଶ୍ରମିକମାନେ ନିଜର କାମ ହରାଇ ଅଭାବରେ ସମୟ ବିତାଉଥିବା ଲକ୍ଷ୍ୟ କରି ନିଜ ଘରକୁ ଫେରାଇ ଆଣିବା ପାଇଁ ସରକାର ସ୍ତରରେ ଉଦ୍ୟମ ହୋଇଛି । ଏହା ବ୍ୟତୀତ ବିଭିନ୍ନ ବେସରକାରୀ ସଂଗଠନ ମଧ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ଘର ବାହୁଡା କ୍ଷେତ୍ରରେ ସେଠା ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ଓଡିଶା ଫେରାଇ ଆଣୁଛନ୍ତି । ତେବେ ପ୍ରବାସୀଙ୍କ ପାଇଁ ଏହା ସଂପୂର୍ଣ୍ଣ ଭଲ କଥା ହେଉଥିବା ବେଳେ ଦେଖାଯାଉଛି ଯେ, ପ୍ରବାସୀମାନେ ନିଜ ନିଜ ସ୍ଥାନରୁ ଘର ବାହୁଡା ବେଳେ କୋଭିଡ-୧୯ର ନିୟମକୁ ଉଲ୍ଲଂଘନ କରି ଭିନ୍ନ ଭିନ୍ନ ସମସ୍ୟା ରାଜ୍ୟ ସରକାରଙ୍କ ପାଇଁ ସୃଷ୍ଟି କରୁଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ନାକେଦମ୍ ହେଉଥିବା ବେଳେ ସାଧାରଣରେ ମଧ୍ୟ ଏହାକୁ ସମର୍ଥନ ମିଳୁନାହିଁ । ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଉଛି । କୋଭିଡ-୧୯ କ୍ୱାରେଣ୍ଟାଇନ ନିୟମ ପାଳନ ନ ହେଲେ ଗୋଷ୍ଠୀ ସଂକ୍ରମଣ ସମୂହ ଜୀବନର କ୍ଷତି କରିବାର ଆଶଙ୍କା ଥିବାରୁ ଏଭଳି ମତାମତ ପ୍ରକାଶ ପାଇଛି । ଏଭଳି ସ୍ଥିତିରେ ଆଜି ରାଜ୍ୟକୁ ବିଭିନ୍ନ ରାଜ୍ୟରୁ ୧୨ଟି ଶ୍ରମିକ ସ୍ପେଶାଲ ପହଞ୍ଚିଥିବା ବେଳେ ସରକାରଙ୍କ ପାଖରେ ଏ ନେଇ ତଥ୍ୟ ନାହିଁ । ଏହା କି ପ୍ରକାର ସମନ୍ୱୟ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ଆଜି ଆଉ ଗୋଟିଏ ଘଟଣା ରାଉରକେଲା ଷ୍ଟେସନରେ ଦେଖିବାକୁ ମିଳିଛି । ଘଟଣାଟି ଏହିପରି କୋହ୍ଲାପୁରର ବକାର ଶ୍ରମିକ ସ୍ପେଶାଲ ଟ୍ରେନରେ ୧୨ଶହରୁ ଅଧିକ ଶ୍ରମିକ ଓଡିଶା ଫେରୁଥିଲେ । ଏହି ଟ୍ରେନରେ ବୌଦ୍ଧ, ସୋନପୁର ଜିଲ୍ଲାର ୪ଶହରୁ ଅଧିକ ଶ୍ରମିକ ଥିଲେ । ସେମାନେ ଝାରସୁଗୁଡା ଷ୍ଟେସନରେ ଓହ୍ଲାଇବାର ଥିଲା । କିନ୍ତୁ ସେମାନେ ଓହ୍ଲାଇବା ଷ୍ଟେସନ କର୍ତ୍ତୃପକ୍ଷ ଅନୁମତି ନଥିବା ଦର୍ଶାଇ ସେମାନଙ୍କୁ ଓହ୍ଲାଇ ଦେଇନଥିଲେ । ସେମାନଙ୍କୁ ରାଉରକେଲାରେ ଅନୁମତି ଥିବା କୁହାଯାଇଥିଲା । ପରେ ସେମାନେ ରାଉରକେଲାରେ ପହଞ୍ଚିବା ପରେ ସେଠାରେ ମଧ୍ୟ ସେମାନେ ଓହ୍ଲାଇବା ପାଇଁ ଅନୁମତି ପାଇନଥିଲେ । ଯାହା ଫଳରେ ସେହି ଘରବାହୁଡା ଶ୍ରମିକମାନେ ବାଧ୍ୟ ହୋଇ ବିଭିନ୍ନ ସ୍ଥାନରେ ଚେନ୍ ପୁଲିଂ କରିଥିବା ଜଣାପଡିଛି । କଳାହାଣ୍ଡି, ବଲାଙ୍ଗୀର, ନୂଆପଡା ଜିଲ୍ଲାର ୩୦୫ ପ୍ରବାସୀ ବିଭିନ୍ନ ସ୍ଥାନରେ ଚେନ୍ ପୁଲିଂ କରି ଓହ୍ଲାଇ ପଡିଥିବା ଘଟଣା ଜଣାପଡିଛି । ସୁରତରୁ ନିର୍ଗୁଣ୍ଡି ଆସୁଥିବା ଏହି ସ୍ୱତନ୍ତ୍ର ଟ୍ରେନର ଚେନ୍ ପୁଲିଂ କରି ୩୦୫ ଶ୍ରମିକ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏ ନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେମାନଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ ଏମାନଙ୍କ ମଧ୍ୟରେ ନୂଆପଡାର ୨୮୩ଜଣ, କଳାହାଣ୍ଡିର ୫ଜଣ, ବଲାଙ୍ଗୀରର ୧୭ଜଣ ଶ୍ରମିକ ଥିବା ଜଣାପଡିଛି । ପ୍ରବାସୀ ଶ୍ରମିକମାନଙ୍କ ଏହି ଆଚରଣ ଠିକ୍ ନହେଲେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣର ଭୟ ନିଶ୍ଚିତ ବଢିଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି । ତେବେ ଶ୍ରମିକମାନେ ଏଭଳି କାହିଁକି କରୁଛନ୍ତି ତାହାର ଯଥେଷ୍ଟ କାରଣ ମଧ୍ୟ ରହିଛି । କୋଭିଡ-୧୯ କ୍ୱାରେଣ୍ଟାଇନ ନିୟମରେ ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟବସ୍ଥାବଳୀ ରହିଛି ତାହା ଉପଯୁକ୍ତ ଭାବରେ ପାଳନ ହେଉନଥିବାରୁ ଘରବାହୁଡା ଏହି ଶ୍ରମିକମାନେ କ୍ୱାରେଣ୍ଟାଇନକୁ ଭରସା କରିନପାରି ବରଂ ନିଜ ଘରେ ସମୟ କଟାଇବା ପାଇଁ ଶ୍ରେୟସ୍କର ମନେ କରୁଛନ୍ତି । ଯାହା ଫଳରେ ଏହି ଘଟଣା ଦିନକୁ ଦିନ ବଢିଚାଲିଛି ।

hiranchal ad1
Leave A Reply

Your email address will not be published.

10 − five =