ପାର୍ବଣ ପୂର୍ବରୁ ଚିନି ଦର ପୁଣି ବଢିଲା

ନୂଆଦିଲ୍ଲୀ- ଦୀପାବଳି ପୂର୍ବରୁ ମହଙ୍ଗା ହେଉଛି ଚିନି। ଗତ ୬ ଦିନ ମଧ୍ୟରେ ଚିନି ଦର ୧୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ପର୍ବପର୍ବାଣୀ ପାଇଁ ମିଠା ପ୍ରସ୍ତୁତି ବଢ଼ୁଥିବା ବେଳେ ବଜାରରେ ଚିନି ଯୋଗାଣ କମ୍ ରହିବା ଦର ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି।
ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଚିନି ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଅକ୍ଟୋବର ୬ ତାରିଖରେ ଉତ୍ତର ପ୍ରଦେଶରେ କ୍ୱିଣ୍ଟାଲ ପିଛା ଚିନି ଦର ୪ ହଜାର ୬୦୦ ଟଙ୍କା ଥିବା ବେଳେ, ଅକ୍ଟୋବର ୧୨ରେ ଏହା ୫ ହଜାର ୨୦୦ ଟଙ୍କାକୁ ବଢ଼ିଛି। ସେହିପରି ମହାରାଷ୍ଟ୍ରରେ ଦର ୪ ହଜାର ୩୫୦ ଟଙ୍କାରୁ ବଢ଼ି ୫ ହଜାର ୧୦୦ ଟଙ୍କାରେ ପହଞ୍ଚିଛି।
ଚିନି ଯୋଗାଣ ବଢ଼ାଇବା ପାଇଁ କେନ୍ଦ୍ର ସରକାର ୧୦ ଲକ୍ଷ ଟନ୍ ଚିନି ଉପରେ ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଛନ୍ତି। ଏହାସହ ଚିନି ମହଜୁଦ ରଖିବା ଉପରେ ସୀମା ଲଗାଇବା ସହ ବଡ଼ ଉପଭୋକ୍ତାଙ୍କ ଘରୋଇ ବଜାରରୁ ଚିନି କିଣିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ତଥାପି ଏହି ପଦକ୍ଷେପଗୁଡ଼ିକ ଦର ଉପରେ ଆଶାନୁରୂପ ପ୍ରଭାବ ପକାଇନାହିଁ।
ଅନ୍ୟପଟେ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଆଖୁ ଚାଷ ଏବଂ ଅମଳ ସମସ୍ୟା ଯୋଗୁଁ ଚିନି ଉତ୍ପାଦନ ଆଗୁଆ ଆରମ୍ଭ ହେବା ନେଇ ଅନିଶ୍ଚିତତା ରହିଛି। ଚାଷୀମାନେ ଆଖୁର ଉଚିତ ଦାମ୍ ଓ କ୍ଷତିପୂରଣ ଦାବି କରୁଥିବାରୁ ନଭେମ୍ବର ପୂର୍ବରୁ ବ୍ୟାପକ ଭାବେ ଚିନି ଉତ୍ପାଦନ ଆରମ୍ଭ ହେବା ସମ୍ଭାବନା କମ୍। ତେଣୁ ଦୀପାବଳି ସମୟରେ ଚିନିର ଚାହିଦା ବଢ଼ିଲେ ଦର ଉପରେ ଆହୁରି ଚାପ ପଡ଼ିପାରେ।

Comments (0)
Add Comment