ଯୁଦ୍ଧର ପ୍ରଭାବ : ଦିନକରେ ୧୩,୪୪,୪୮୮.୫୪ କୋଟି ହରାଇଲେ ନିବେଶକ

ମୁମ୍ବାଇ ୨୪ ।୨: ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଯୋଗୁ ଭାରତୀୟ ସେୟାର ବଜାରରେ ଗୁରୁବାର ଜୋରଦାର ହ୍ରାସ ଦେଖାଯାଇଛି । ଫଳରେ ନିବେଶକ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି ହ୍ରାସ ଯୋଗୁ ନିବେଶକଙ୍କୁ ଗୋଟିଏ ଦିନରେ ୧୩,୪୪,୪୮୮.୫୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଫଳରେ ବିଏସଇରେ ସୂଚିଭୁକ୍ତ କମ୍ପାନୀମାନଙ୍କ ବଜାର ପୁଞ୍ଜିକରଣ ( ମାର୍କେଟ କ୍ୟାପିଟାଲାଇଜେସନ) ୨,୪୨,୨୪,୧୭୯.୭୯ କୋଟି ଟଙ୍କାକୁ ଖସିଆସିଛି । ବୁଧବାର ଏହି ସବୁ କମ୍ପାନୀଙ୍କ ବଜାର ପୁଞ୍ଜିକରଣ ୨,୫୫,୬୮,୬୬୮.୩୩ କୋଟି ଟଙ୍କା ଥିଲା । ଯାହାକୁ ଏବେ ବଜାରରେ ଏପର୍ଯ୍ୟନ୍ତ ସବୁଠୁ ବଡ଼ ହ୍ରାସ ବୋଲି ବିଚାର କରାଯାଉଛି । ୨୩ ମାର୍ଚ୍ଚ ୨୦୨୦ ପରେ ବଜାରରେ ପଏଣ୍ଟରେ ଏହା ସବୁଠୁ ବଡ ହ୍ରାସ ବୋଲି କୁହାଯାଉଛି । ଭାରତରେ କରୋନା ସଂକ୍ରମଣ ଆଶଙ୍କା କରି ଲକଡାଉନ ଜାରି ହେବାରୁ ସେତେବେଳେ ସେୟାର ବଜାରରେ ହ୍ରାସ ଦେଖାଦେଇଥିଲା । ଗୁରୁବାର ବଜାରରେ କାରବାର ବନ୍ଦ ହେବା ବେଳକୁ ସେନସେକ୍ସ ୨୭୮୮ ପଏଣ୍ଟ ହ୍ରାସ ସହ ୫୪,୪୪୫ ଅଙ୍କରେ ପହଞ୍ଚିଥିବା ବେଳେ ନିଫ୍ଟି ୮୪୨ ପଏଣ୍ଟ ହ୍ରାସ ସହ ୧୬,୨୧୮ ଅଙ୍କରେ ବନ୍ଦ ହୋଇଛି । ବଜାରରେ ଗତ ୭ଟି ବ୍ୟବସାୟିକ ଦିନରେ ହୋଇଥିବା ହ୍ରାସ ଯୋଗୁ ରିଲାଏନସ ଗ୍ରୁପର ମାର୍କେଟ କ୍ୟାପିଟାଲାଇଜେସନ ଗୁରୁତର ପ୍ରଭାବିତ ହୋଇଛି । ରିଲାଏନ୍ସ ଗ୍ରୁପର ମାର୍କେଟ କ୍ୟାପିଟାଲାଇଜେସନରେ ୧ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଥିବା ଜଣାପଡିଛି । ସେହିପରି ଆଡାନୀ ଗ୍ରୁପର ମାର୍କେଟ କ୍ୟାପିଟାଲାଇଜେସନରେ ୬୬ ହଜାର କୋଟି ଟଙ୍କା ହ୍ରାସ ଦେଖାଯାଇଛି ।

Comments (0)
Add Comment