ଆଉ ବଜାରରେ ଦେଖିବାକୁ ମିଳିବନି ଜନସନ ବେବି ପାଉଡର!

ଲଣ୍ଡନ,୮/୨: ବେବି ପାଉଡରର ବିଶ୍ୱ ବଜାରରେ ଜନସନ ଆଣ୍ଡ ଜନସନ ଏକ ପରିଚିତ ନାମ । ଏହାର ଲୋକପ୍ରିୟତା ଶୀର୍ଷରେ ବୋଲି କହିଲେ ଭୁଲ ହେବ ନାହିଁ । ବେବି ପାଉଡର ବ୍ୟବହାର ସାଧାରଣତଃ ଶିଶୁଙ୍କଠାରେ କରାଯାଇଥାଏ । କେବଳ ଶିଶୁ ନୁହେଁ, ବୟସ୍କମାନେ ବି ବ୍ୟବହାର କରିଥାନ୍ତି । ହେଲେ ଏବେ ଏହାର ବ୍ୟବହାର ନେଇ ଉଠିଛି ପ୍ରଶ୍ନ । ଏହା କ୍ୟାନସର ସୃଷ୍ଟିକାରୀ ବୋଲି ଜାଣିବା ପରେ ଏବେ ଏହା ଉପରେ ସାରା ବିଶ୍ୱରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରାଯାଉଛି । ବ୍ରିଟେନରେ କମ୍ପାନୀର ଅଂଶୀଦାରମାନେ ଏକାଠି ହୋଇ ପାଉଡର ବିକ୍ରି ଉପରେ ବିଶ୍ୱବ୍ୟାପୀ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ପାଉଡର ଯୋଗୁ ପ୍ରାୟ କ୍ୟାନସର ହେଉଥିବା ଅଭିଯୋଗ ହୋଇଛି । ଏପରିକି ଏନେଇ ୩୪ରୁ ଅଧିକ ମାମଲା ବି ରୁଜୁ ହୋଇଛି । ଆମେରିକାରେ ଏହି ପାଉଡରରେ ଆଜବେସଟସର ଏକ ପ୍ରକାର କ୍ରେସୋଟାଇଲ ଫାଇବର ମିଳିଥିଲା, ଯାହା କ୍ୟାନସର ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା । ଏହା ଚର୍ମ କର୍କଟ ସୃଷ୍ଟି କରିପାରେ ବୋଲି ସନ୍ଦେହ କରାଯାଇଥିଲା । ତେବେ ବିକ୍ରି କମ୍‌ ଦର୍ଶାଇ କମ୍ପାନୀ ୨୦୨୦ରେ ଆମେରିକା ଓ କାନାଡାରେ ଏହାର ବିକ୍ରି ବନ୍ଦ କରି ଦେଇଥିଲା । ହେଲେ ଏହା ଆଜି ବ୍ରିଟେନ ସମେତ ଆହୁରି କିଛି ଦେଶରେ ବିକ୍ରି କରାଯାଉଛି । ସ୍ୱାସ୍ଥ୍ୟ ପ୍ରତି ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ଅଛି ବୋଲି ବିଶେଷଜ୍ଞମାନେ କହିବା ପରେ ବର୍ତ୍ତମାନ ସମସ୍ତେ ଏହାକୁ ନେଇ ଚିନ୍ତିତ ।

Comments (0)
Add Comment