ଆନ୍ତଃଜିଲ୍ଲା ଡକାୟତ ଦଳର ୧୦ ଜଣ ଗିରଫ

ସମ୍ବଲପୁର : ସମ୍ବଲପୁର ଓ ଏହାର ଆଖପାଖ ପାଞ୍ଚଟି ଜିଲ୍ଲାରେ ନିରନ୍ତର ଚୋରୀ ଓ ଡକାୟତି କରୁଥିବା ଏକ ଡକାୟତ ଦଳର ଦଶ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ଏଠାକାର ପୁଲିସକୁ ବଡ଼ ସଫଳତା ମିଳିଛି। ଏବିଷୟରେ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯାଇଛି ।‌ ପ୍ରଦତ୍ତ ସୂଚନା ଅନୁସାରେ ଏହି ଡକାୟତ ଦଳ ବିରୁଦ୍ଧରେ ପଞ୍ଜୀକୃତ ମୋଟ ୨୧ଟି ମାମଲାରେ ସମ୍ବଲପୁର ଜିଲ୍ଲାର ୭ଟି ପୁଲିସ ରଥାନାରେ ୧୫, ବରଗଡ଼ ଓ ସୁନ୍ଦରଗଡ଼ ଜିଳ୍ଲାରେ ଦୁଇଟି ଲେଖାଏଁ ତଥା ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଗୋଟିଏ ଲେଖାଁଏ ମାମଲା ରୁଜୁ ହୋଇଛି । ଏହିମଧ୍ଯରୁ ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନାରେ ସର୍ବାଧିକ ୫, କତରବଗା ଥାନାରେ ୩, ରେଙ୍ଗାଲି ଓ ସଦର ଥାନାରେ ୨ଟି ଲେଖାଏଁ ତଥା ଶାସନ, ଯୁଯୁମୁରା ଓ ହୀରାକୁଦ ଥାନାରେ ଗୋଟିଏ ଲେଖାଁଏ ମାମଲା ରୁଜୁ କରାଯାଇଛି। ସେମାନଙ୍କ ଠାରୁ ଜବତ କରାଯାଇଥିବା ବିଭିନ୍ନ ଚୋରା ସାମଗ୍ରୀ ମଧ୍ୟରେ ସୋନା ୪୮୦ ଗ୍ରାମ, ରୁପା ୧୩୫ ଗ୍ରାମ, ରୁପା ମୁଦ୍ରା ୩୫ ଟି, ନଗଦ ରାଶି ୫ଲକ୍ଷ ୧୨ ହଜାର, ୨ଟି ବୋଲେରୋ, ୨ଟି ଟ୍ରାକ୍ଟର, ୪ଟି ବାଇକ, ଗୋଟିଏ ସ୍କୁଟି ଓ ୧୧ଟି ମୋବାଇଲ ଫୋନ ସହିତ ଭୁଜାଲି, ଛୁରୀ, କ୍ରୋବାର, ଦଉଡ଼ି ଓ ଟର୍ଚ୍ଚ ଆଦି ସରଞ୍ଜାମ ଆଦି ସାମିଲ ରହିଛି। ଏହିସବୁ ଜବତ ସାମଗ୍ରୀର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ହୋଇପାରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।‌ ଗିରଫ କରାଯାଇଥିବା ବ୍ଯକ୍ତି ମାନଙ୍କ ଚିହ୍ନଟ ମଦନ ସୁନ୍ଦର ଖଡିଆ (୩୧), ସଚିନ ଖଡିଆ (୨୨), ସଞ୍ଜୟ ଖଡିଆ (୨୦), ସୁଦର୍ଶନ ଖଡିଆ (୨୮), ବିକାଶ ଖଡିଆ (୧୯), ବୁଲୁ କନ୍ଧ (୨୦), ସୁନୀଲ ମାଝୀ (୧୯), ଅନୀଲ ମାଝୀ (୩୨), ଭୁବନ ଲୁହୁରା (୨୩) ଓ ସ୍ବରାଜ ମେହେର (୨୪) ରୂପେ କରାଯାଇଛି । ସେମାନେ ମୁଖ୍ୟତଃ ସଙ୍ଗଠିତ ହୋଇ ବିଭିନ୍ନ ଚୋରୀ ଓ ଡକାୟତି ଆଦିରେ ସାମିଲ ରହୁଥିବାରୁ ପୁଲିସକୁ ସେମାନଙ୍କ ସନ୍ଧାନ ଦୀର୍ଘ ଦିନରୁ ହିଁ ଆସୁଥିଲା। ଏବିଷୟରେ ଆଗକୁ ତଦନ୍ତ ଜାରି ରହିଛି ଓ ଆଉ କିଛି ଲୋକଙ୍କୁ ଗିରଫ କରାଯାଇପାରେ ବୋଲି କୁହାଯାଇଛି।

Comments (0)
Add Comment