ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷୀ ଦେଲେ ଅରୁଣ ବୋଥ୍ରା

ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ମାମଲାରେ ସାକ୍ଷୀ ଦେଲେ ଅରୁଣ ବୋଥ୍ରା। ଏହି ଘଟଣାକୁ ୬ ବର୍ଷ ପୂରି ଯାଇଥିଲେ ବି କୋର୍ଟରେ ଏହାର ଶୁଣାଣି ଏବେ ବି ଚାଲିଛି। ମଙ୍ଗଳବାର ପାଟଣାଗଡ଼ ଏଡ଼ିଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତକଳୀନ କ୍ରାଇମବ୍ରାଞ୍ଚ ଆଇ. ଜି ଅରୁଣ ବୋଥ୍ରା । ବୋଥ୍ରା ପାଟଣାଗଡ଼ ପହଞ୍ଚି ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ମାମଲାରେ ସେ ୬୦ ନମ୍ବର ସାକ୍ଷୀ ହୋଇଛନ୍ତି। କୋର୍ଟରେ ସରକାରୀ ଓକିଲ ଓ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ଥିଲେ। ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମସିନ୍‌ର ସିଡି ଡିସ୍‌ପ୍ଲେ ପାଇଁ ଦାବି ହୋଇଛି । ତେବେ କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ପ୍ରତିପକ୍ଷ ଓକିଲ ବିରୋଧ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

ସୂଚନା ଯୋଗ୍ୟ ୨୦୧୮ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ପାଟଣାଗଡ଼ ସହରର ବରହମ୍‌ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଓ ତାଙ୍କ ଜେଜେ ମା ଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ।ଦୀର୍ଘ ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଫେରିଥିଲେ।

ଏହି ଘଟଣା ସମଗ୍ର ରାଜ୍ୟରେ ହଲଚଲ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ହାଇ ପ୍ରୋଫାଇଲ କେସ୍ର ତଦନ୍ତ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଚାଲିଥିଲା । ଘଟଣାର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରତିଶୋଧ ନେବା ନିମନ୍ତେ ପୁଞ୍ଜିଲାଲ ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖରଙ୍କ ବାହାଘରରେ ରଚିଥିଲେ ଭୟଙ୍କର ଷଡଯନ୍ତ୍ର । ଏକ ପାର୍ସଲରେ ବୋମା ପଠାଇ ବିସ୍ଫୋରଣ କରିଥିଲେ। ତେବେ ଏହି ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା।ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲରେ ବିଚାରାଧୀନ ବନ୍ଦୀ ଭାବେ କାଳ କରୁଛନ୍ତି।

Comments (0)
Add Comment