ଏସ୍‌ସିବିରେ ରୋଗୀଙ୍କ ଦୁଷ୍କର୍ମକୁ ନେଇ ଡିଏମଇଟିର ୩ଜଣିଆ କମିଟିର ତଦନ୍ତ

କଟକ : ଦୁଇ ମହିଳା ରୋଗୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ପୋଷ୍ଟଡକ୍ଟରାଲ୍ ଅଧ୍ୟୟନ କରୁଥିବା ଜଣେ ବରିଷ୍ଠ ଡାକ୍ତରଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣା ପରେ MBBS ଛାତ୍ରମାନେ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ହୋଇଥିଲେ ଯେଉଁଥିରେ ଅଭିଯୁକ୍ତ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି।

କଟକ ବଡ଼ଡାକ୍ତରଖାନା ହୃଦରୋଗ ବିଭାଗକୁ ଗତ ରବିବାର ଜଣେ ପିଜି ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଉସୀଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ସୂଚନା ଅନୁଯାୟୀ ଉଭୟେ ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ। ସେଦିନ ଛୁଟି ଥିବାରୁ ବିଭାଗ ଏକପ୍ରକାର ଖାଲିଥିଲା। ଡାକ୍ତର ଦିଲବର ସିଂହ ଠାକୁର ସେମାନଙ୍କୁ ଇକୋ ରୁମକୁ ନେଇ ଯାଇଥିଲେ। ଅନ୍ୟ କୌଣସି କର୍ମଚାରୀ ସେଠାରେ ନଥିବା ବେଳେ ଦିଲବର ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ନେଇ ମଙ୍ଗଳାବାଗ ଥାନା ପୁଲିସ ଡାକ୍ତର ଦିଲବର ସିଂହ ଠାକୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସୂଚନା ଅନୁଯାୟୀ ଏହି ଘଟଣାର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ନିର୍ଦ୍ଦେଶ ପାଇବାପରେ ଏସସିବିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି। ଏହି ଟିମ ମେଡିକାଲ କଲେଜରେ ପହଁଚି ତଦନ୍ତ କରିବା ସହ ଏସସିବି ସୁପରିଟେଣ୍ଡେଣ୍ଟ ଓ ଏସସିବି ମେଡିକାଲ କଲେଜ ଡିନ ପ୍ରିନସିପାଲଙ୍କ ସହ ଆଲୋଚନା କରିଛନ୍ତି। ତଦନ୍ତ କମିଟିର ସୂଚନା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ନିଲମ୍ବନ କରାଯିବ କି ନାହିଁ ସୂଚନା ଦିଆଯିବ ବୋଲି ଟିମ ପକ୍ଷରୁ କୁହାଯାଇଛି। ଡିଏମଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି, ପ୍ରିଲିମିନାରି ରିପୋର୍ଟ୍ ସରକାରଙ୍କୁ ପ୍ରଦାନ କରାଯିବା ସହ ହୃଦରୋଗ (କାର୍ଡିଓଲୋଜି) ବିଭାଗର ମୁଖ୍ୟ, ପ୍ରଫେସର ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ ପଚାର ଉଚରା କରାଯିବ। ଏସ ଓ ପି ପାଳନ ହୋଇଥିଲା ନା ନାହିଁ ତାହାର ଅନୁଧ୍ୟାନ କରାଯିବ ଏବଂ ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ପ୍ରୋଟୋକଲ୍ ପ୍ରସ୍ତୁତ ହେବ।

Comments (0)
Add Comment