ଗ୍ରାହକ ସେବା କେନ୍ଦ୍ରର କାନ୍ଥ ଭାଙ୍ଗି ଲୁଟି ନେଲେ ୩୦ ହଜାର ଟଙ୍କା

ବାଲିଗୁଡ଼ା : ବିଳମ୍ବିତ ରାତିରେ ଗ୍ରାହକ ସେବା କେନ୍ଦ୍ରରୁ ଚୋରି ଅଭିଯୋଗ । ଦାରିଙ୍ଗିବାଡ଼ି ବ୍ଲକ୍ ଅନ୍ତର୍ଗତ ବୁଢ଼ାଗୁଡ଼ା ପଞ୍ଚାୟତ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ କାନ୍ଥ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। କାନ୍ଥ ଭାଙ୍ଗି ଘର ଭିତରେ ପଶି ଟେବୁଲ୍ ଡ୍ର ଭାଙ୍ଗି ସେଥିରେ ଥିବା ୩୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଗତକାଲି ଶୁକ୍ରବାର ଦିନ ବୁଡ଼ାଗୁଡା ଠାରେ ସାପ୍ତାହିକ ହାଟ ହେଉଥିବା ବେଳେ ଦିନ ତମାମ କାମ କରି ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ ସମୟରେ ଗ୍ରାହକ ସେବା କେନ୍ଦ୍ରକୁ ବନ୍ଦ କରି ନିଜ ଘର କେରମାହା ଯାଇଥିଲେ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଲିଟୁ ପ୍ରଧାନ। ସକାଳୁ କିଛି ଅଞ୍ଚଳବାସୀ ସେବା କେନ୍ଦ୍ରର କାନ୍ଥ ଭାଙ୍ଗିଥିବା ଦେଖି ଲିଟୁ ପ୍ରଧାନଙ୍କୁ ଫୋନରେ ଜଣାଇଥିଲେ। ଖବରପାଇ ଲିଟୁ ଆସି ଦେଖିବା ବେଳେ ଗ୍ରାହକ ସେବା କେନ୍ଦ୍ରର କାନ୍ଥ ଭାଙ୍ଗି କେହି ଦୁର୍ବୃତ୍ତ ଭିତରେ ପଶି ଡ୍ର ଭାଙ୍ଗି ୩୦,୦୦୦ (ତିରିଶି ହଜାର ନଗଦ ଟଙ୍କା ସହିତ କିଛି ଖୁଚୁରା ପଇସା ନେଇଥିବା ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷରେ କେନ୍ଦ୍ରରେ ଥିବା ଲାପଟପ ଓ କମ୍ପୁଟରକୁ ଦୁର୍ବୃତ୍ତ ନେବା ପାଇଁ ସକ୍ଷମ ହୋଇନଥିବା ଜଣାପଡ଼ିଛି। ସେପଟେ ବୁଡାଗୁଡ଼ା ବାଲିଗୁଡ଼ା ଥାନା ଅଧୀନରେ ଥିବା ବେଳେ ପୁର୍ବରୁ ବୁଡାଗୁଡାରେ ଏକ ପୋଲିସ ଫାଣ୍ଡି ରହିଥିଲା । ଯାହାକି ଦୀର୍ଘ ବର୍ଷ ହେବ ବନ୍ଦ ହୋଇ ରହିଛି। ଫଳରେ ବୁଡାଗଗୁଡ଼ା ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ବୁଡାଗୁଡ଼ାରୁ ବାଲିଗୁଡ଼ା ୨୮ କିଲୋମିଟର ହୋଇଥିବା ବେଳେ ଯାତାୟତ ସମସ୍ୟା ଯୋଗୁଁ ଏଠାକାର ଲୋକେ ବାଲିଗୁଡ଼ା ଥାନାକୁ ଯାଇ ଅଭିଯୋଗ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସର ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ।

Comments (0)
Add Comment