ଆଉ ନାହାନ୍ତି “ମହାଭାରତ’ର ଭୀମ

ନୂଆଦିଲ୍ଲୀ: ଗାୟିକା ଲତା ମଙ୍ଗେସକରଙ୍କ ପରଲୋକଜନିତ ଦୁଃଖକୁ ଏଯାଏ ଲୋକେ ଭୁଲି ନଥିବା ବେଳେ ଆଜି ଆସିଛି ଆଉ ଏକ ଦୁଃଖଦ ଖବର । ବିଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଟିଭି ସିରିଏଲ ‘ମହାଭାରତ’ର ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ଆଉ ନାହାନ୍ତି । ଆଜି ୭୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ପ୍ରବୀଣ କୁମାର ନିଜର ଶକ୍ତିଶାଳୀ ଶରୀର ଆଧାରରେ କ୍ରୀଡାବିତ୍‌ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖେଳାଳି ଭାବରେ କ୍ୟାରିୟର ଆରମ୍ଭ କରିବା ପରେ ପ୍ରବୀଣ କୁମାର ବଲିଉଡକୁ ମୁହାଁଇଥିଲେ । ସେ ବଲିଉଡରେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । କିନ୍ତୁ ବି. ଆର ଚୋପ୍ରାଙ୍କ ମହାଭାରତ ତାଙ୍କୁ ସର୍ବାଧିକ ମାନ୍ୟତା ଓ ଲୋକପ୍ରିୟତା ଦେଇଥିଲା । ପ୍ରବୀଣ କୁମାର ସୋବତୀ ତାଙ୍କ ଅଭିନୟ ଜୀବନରେ ଅମିତାଭ ବଚ୍ଚନ, ଜିତେନ୍ଦ୍ରଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିଛନ୍ତି । ପ୍ରବୀଣ କୁମାର ୧୯୮୧ ମସିହାରେ ରାଧା ଚଳଚ୍ଚିତ୍ରରୁ ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ଆସିଥିବା ’ମେରୀ ଆୱାଜ୍‌ ସୁନୋ’ରେ ପ୍ରବୀଣ କୁମାର ସୋବତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜିତେନ୍ଦ୍ରଙ୍କ ସହ କାମ କରିଥିଲେ । ଅମିତାଭଙ୍କ ସୁପରହିଟ୍‌ ଫିଲ୍ମ ’ଶେହେନ୍ସା’ରେ ମଧ୍ୟ ଅଭିନୟ କରିଥିଲେ ପ୍ରବୀଣ କୁମାର । ପ୍ରବୀଣ ଜଣେ ଭଲ ଡିସ୍କସ୍‌ ଥ୍ରୋ ଆଥଲେଟ ମଧ୍ୟ ଥିଲେ । ସେ କ୍ରୀଡାକ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଅନେକ ଗର୍ବ ଆଣିଛନ୍ତି । ସେ ଏସିଆନ ଗେମ୍ସରେ ଚାରି ଥର ପଦକ ବିଜେତା ରହିଛନ୍ତି । ୧୯୬୬ରେ ହୋଇଥିବା ଏସିଆନ ଗେମ୍ସରେ ଡିସ୍କସ୍‌ ଥ୍ରୋ’ରେ ଗୋଲ୍ଡ ମେଡାଲ ଓ ହାମର ଥ୍ରୋ’ରେ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ସେହିପରି ୧୯୭୦ ଏସିଆନ ଗେମ୍ସରେ ଡିସ୍କସ୍‌ ଥ୍ରୋ’ରେ ଗୋଲ୍ଡ ମେଡାଲ ଓ ୧୯୭୪ ଏସିଆନ ଗେମ୍ସରେ ସିଲିଭର ମେଡାଲ ହାସଲ କରିଛନ୍ତି । ସେହିପରି ୧୯୬୬ରେ କିଙ୍ଗଷ୍ଟୋନରେ ହୋଇଥିବା କମନଓ୍‌ୱେଲ୍ଥ ଗେମ୍ସରେ ସିଲଭର ମେଡାଲ ହାସଲ କରିଥିଲେ ପ୍ରବୀଣ । ଏହା ବ୍ୟତୀତ ସେ ଅଲିମ୍ପିକ ଗେମ୍ସରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୧୯୬୮ ମେକ୍ସିକୋ ଓ ୧୯୭୨ ମ୍ୟୁନିଚ୍‌ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment