ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ ହୋଇଯାଇଛି। ହୃଦ୍ଘାତରେ ଶିକାର ହୋଇ ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ଆଜି ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ଜିମ୍ରେ ୱାର୍କଆଉଟ୍ କଲା ବେଳେ ହଠାତ୍ ପୁନୀତ୍ ବେହୋସ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁ ସ୍ଥିତ ବିକ୍ରମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣାପଡ଼ିଲା ଯେ ତାଙ୍କର ହୃଦ୍ଘାତ ହୋଇଥିଲା। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ସେମାନଙ୍କର ସମସ୍ତ ପ୍ରୟାସ ସତ୍ତ୍ୱେ ଆଖି ବୁଜିଥିଲେ ପୁନୀତ ରାଜକୁମାର। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସଭରାଜ ଏସ୍ ବୋମ୍ମାଇ ମଧ୍ୟ ହସ୍ପିଟାଲ୍ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଥିଲେ।