ନୂଆଦିଲ୍ଲୀ : ୬୭ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦା ସାହବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଫିଲ୍ମ ଦୁନିଆରେ ୫ ଦଶକ ପର୍ଯ୍ୟନ୍ତ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ଆଜି ଆମେ ଆପଣଙ୍କୁ ସପରଷ୍ଟାର ରଜନୀକାନ୍ତ ଜୀବନ ଘଟିଥିବା ଏକ କାହାଣୀ ବିଷୟରେ ଜଣାଇବୁ । ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ଭଲ ସ୍ୱଭାବ ବିଷୟରେ ଜାଣିପାରିବେ ।
ଥରେ ଜଣେ ମହିଳା ସୁପରଷ୍ଟାର ରଜନୀକାନ୍ତଙ୍କୁ ଭିକାରୀ ଭାବିଥିଲେ । ସୁପରଷ୍ଟାର ରଜନୀକାନ୍ତଙ୍କୁ କିଏ କାହିଁକି ଭିକାରୀ ଭାବିବ । ଏ କଥା ଆପଣଙ୍କ ମନରେ ନିଶ୍ଚୟ ଉଙ୍କି ମାରୁଥିବ । କିନ୍ତୁ ଏହା ନିରାଟ ସତ୍ୟ । ଏମିତି ଏକ ଘଟଣା ପାଖାପାଖି ୧୪ ବର୍ଷ ତଳେ ୨୦୦୭ ମସିହାରେ ଘଟିଥିଲା । ସେହିବର୍ଷ ରଜନୀକାନ୍ତଙ୍କ ଫିଲ୍ମ ‘ଶିବାଜୀ’ ରିଲିଜ ହୋଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ରୋଜଗାର କରିଥିଲା । ଯେଉଁ ପରି ଭାବେ ଲୋକମାନେ ଫିଲ୍ମର ସଫଳତା ପାଇଁ ପାର୍ଟି ରଖନ୍ତି, ସେହିପରି ରଜନୀକାନ୍ତ ଫିଲ୍ମର ଅପୂର୍ବ ସଫଳତାରେ ଖୁସି ହୋଇ ନିଜର ସାଥୀଙ୍କ ସହ ମନ୍ଦିର ଯାଇଥିଲେ ।
ମନ୍ଦିରରେ ତାଙ୍କୁ ଯେପରି କେହି ନ ଚିହ୍ନନ୍ତୁ ସେଥିପାଇଁ ତାଙ୍କର ବେଶ ବଦଳାଇ ଦେଇଥିଲେ ରଜନୀକାନ୍ତ । ସିକ୍ୟୁରିଟି ଟିମ୍ ଜାଣିଥିଲେ ଯେ, ରଜନୀକାନ୍ତଙ୍କୁ ଯଦି କେହି ଚିହ୍ନ ଦିଅନ୍ତି ତେବେ ଲୋକଙ୍କୁ ସମ୍ଭାଳିବା ଅସମ୍ଭବ ହେବ । ଏଥିପାଇଁ ମେକଅପ ଆର୍ଟିଷ୍ଟ ଏହି ସୁପରଷ୍ଟାରଙ୍କୁ ଏକ ବୁଢା ମଣିଷ ଭଳି ସଜାଇ ଦେଇଥିଲେ ।
ଯେତେବେଳେ ସାଧାରଣ କପଡା ପିନ୍ଧି ରଜନୀକାନ୍ତ ମନ୍ଦିରର ପାହାଚ ଚଢୁଥିଲେ । ସେହି ସମୟରେ ତାଙ୍କ ସହ ଜଣେ ମହିଳା ମଧ୍ୟ ପାହାଚ ଚଢୁଥିଲେ । ରଜନୀକାନ୍ତ ଏମିତି ଦେଖାଯାଉଥିଲେ ଯେ, ମହିଳା ଜଣକ ତାଙ୍କୁ ଦେଖି ଭିକାରୀ ଭାବିଥିଲେ ଓ ୧୦ ଟଙ୍କା ଦେଇଥିଲେ । ଏହାପରେ ରଜନୀକାନ୍ତ ମଧ୍ୟ କିଛି ନ କହି ୧୦ଟଙ୍କା ଧରିଥିଲେ । ତା ପରେ ମନ୍ଦିର ଭିତରକୁ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରିଥିଲେ । ଏହି ସମୟରେ ସେ ତାଙ୍କ ପର୍ସ କାଢି ଯାହା ଟଙ୍କା ଥିଲା ମନ୍ଦିର ହୁଣ୍ଡିରେ ଦେଇଥିଲେ । ଏହି ଦୃଶ୍ୟକୁ ମହିଳା ଜଣକ ମଧ୍ୟ ଦେଖିଥିଲେ । ପରେ ମହିଳା ଜଣକ ରଜନୀକାନ୍ତଙ୍କୁ ଠିକ୍ ଭାବରେ ଦେଖି ଚିହ୍ନି ପାରିଥିଲେ । ମହିଳା ଜଣକ ଶେଷରେ ରଜନୀକାନ୍ତଙ୍କ ପାଖକୁ ଆସି ମୋର ଭୁଲ ହୋଇଗଲା, ମୋର ୧୦ଟଙ୍କା ଫେରାଇ ଦିଅ ବୋଲି କହିଥିଲେ । କିନ୍ତୁ ରଜନୀକାନ୍ତ କହିଥିଲେ ଏହି ୧୦ଟଙ୍କା ଠାକୁରଙ୍କ ଆଶୀର୍ବାଦ । ସେ ମହିଳା ଜଣକଙ୍କୁ ଆହୁରି କହିଥିଲେ ଯେ, ମତେ ଏମିତି ଭଲ ପାଉଥାଅ ।