ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମମତା!

କୋଲକାତା : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ରେସ୍‌ରେ ନାହାନ୍ତି କି ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ଅଭିଳାଷ ନାହିଁ ବୋଲି ଆଜି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ସ୍ପଷ୍ଟ କରିଦେବା ପରେ,ଏହି ପଦ ପାଇଁ ଆଉ ଜଣେ ଅଭିଜ୍ଞ ଓ ତୁଙ୍ଗ ନେତାଙ୍କ ନାମ ଚର୍ଚ୍ଚାକୁ ଆସିଛି । ସେ ହେଲେ ତୃଣମୂଳ କଂଗ୍ରେସ(ଟିଏମସି)ନେତ୍ରୀ ତଥା ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟିଏମସି ସାଂସଦ ସୌଗତ ରୟଙ୍କର ଏକ ବିବୃତିରୁ ଏହି ଚର୍ଚ୍ଚା ଜୋର ଧରିଛି । ସୌଗତ କହିଛନ୍ତି ଯେ ନୀତିଶ ବର୍ତ୍ତମାନ ଏହି ପଦ ପାଇଁ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି । ତେଣୁ ଜଣେ ମିଳିତ ବିରୋଧୀ ପ୍ରାର୍ଥୀଭାବେ ଆମେ ମମତାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛୁ । ଏ ବିଷୟରେ ଆମେ ଖୁବଶୀଘ୍ର ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରିବୁ । କାରଣ ପ୍ରଥମେ ସେମାନଙ୍କୁ ବିଶ୍ୱାସକୁ ନେବାକୁ ପଡ଼ିବ ସେ କହିଛନ୍ତି । ସେ କହିଛନ୍ତି, ବିରୋଧୀଙ୍କ ପକ୍ଷରୁ ମିଳିତ ଭାବେ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯିବ । ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ବିରୋଧୀଙ୍କୁ ଏକାଠି କରିବା ପାଇଁ ଟିଏମସି କର୍ମୀମାନେ କାର୍ଯ୍ୟ କରିବେ । ମିଳିତ ବିରୋଧୀଙ୍କ ପକ୍ଷରୁ ମମତା ନେତୃତ୍ୱ ନେବେ । ପଶ୍ଚିବଙ୍ଗଭଳି ଏକ ବଡ ରାଜ୍ୟରୁ ମମତା ପ୍ରତିନିଧିତ୍ୱ କରିବେ । ସେହିପରି ସାରା ଦେଶରେ ମମତାଙ୍କ ଲୋକପ୍ରିୟତା ରହିଛି । ଆମେ ଜଣେ ସାଧାରଣ ଚେହେରାକୁ ଦେଖିବାକୁ ଚାହୁଁଛୁ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ମମତା ବେଶ୍‌ ଯୋଗ୍ୟ । ତେଣୁ ଏ ବିଷୟରେ ଆମେ ଅନ୍ୟ ଦଳ ସହ ଆଲୋଚନା କରିବୁ ବୋଲି ରୟ କହିଛନ୍ତି । ବିଜେପିର ହାତ ଛାଡି ଆରଜେଡି ସହ ମେଣ୍ଟ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ବୟାନ ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଥିବାରୁ ବିଜେପି ସହ ମେଣ୍ଟ ଭାଙ୍ଗିଥିବା ଚର୍ଚ୍ଚା ହେଉଥିବା ବେଳେ ଏଥିରେ ଆଜି ପୁଣିଥରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନୀତୀଶ କୁମାର । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଭାବନା ତାଙ୍କ ମୁଣ୍ଡରେ ନାହିଁ ବୋଲି ସେ ଆଜି ସ୍ପଷ୍ଟ କରିଛନ୍ତି । କିନ୍ତୁ ବିଜେପି ବିରୋଧରେ ସବୁ ବିରୋଧୀଙ୍କୁ ଏକାଠି କରିବା ପାଇଁ ସେ କାମ କରିବେ ବୋଲି କହିଛନ୍ତି ।

Comments (0)
Add Comment