ଅଳ୍ପକେ ବର୍ତ୍ତିଲେ ବିମାନଯାତ୍ରୀ

କାଠମାଣ୍ଡୁ: ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବିମାନ । ଇଞ୍ଜିନ୍‌ରେ ତ୍ରୁଟି ଦେଖା ପରେ କରିଛି ଜରୁରୀ ଅବତରଣ । ନେପାଳର ପୋଖରା ବିମାନବନ୍ଦରରୁ ପାର୍ବତ୍ୟ ଜିଲ୍ଲା ମୁସ୍ତାଙ୍ଗ ଅଭିମୁଖେ ଯାତ୍ରା କରିବାର କିଛି ସମୟ ପରେ ଏକ ଯାତ୍ରୀବାହୀ ବିମାନ ପୁଣି ପୋଖରା ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଏନେଇ ବିମାନବନ୍ଦର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ପୋଖରା ବିମାନ ବନ୍ଦରର ସୂଚନା ଅଧିକାରୀ ଦେବରାଜ ଚଲିସା କହିଛନ୍ତି ଯେ ବିମାନଟି ‘ସମ୍ମିଟ୍‌ ଏୟାର’ର, ଯାହା ନେପାଳର ଏକ ଘରୋଇ ବିମାନ ଅଟେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ବିମାନକୁ ମାତ୍ର ୭ ମିନିଟର ଉଡ଼ାଣ ପରେ ପୋଖରା ବିମାନ ବନ୍ଦରକୁ ଫେରିବାକୁ ପଡିଥିଲା । ପାଇଲଟ୍‌ ବିମାନର ଇଞ୍ଜିନ୍‌ରେ ତ୍ରୁଟି ଥିବା ଜାଣିବା ପରେ କେବଳ ଗୋଟିଏ ଇଞ୍ଜିନ ସାହାଯ୍ୟରେ ସେ ଏହାକୁ ସୁରକ୍ଷିତ ଭାବେ ବିମାନବନ୍ଦରରେ ଲ୍ୟାଣ୍ଡ କରାଇଛନ୍ତି । ଏହି ବିମାନରେ ୧୮ ଜଣ ଯାତ୍ରୀ ଓ ୪ ଜଣ କ୍ୟାବିନ୍‌ କ୍ରୁ ସଦସ୍ୟ ଥିଲେ । ବିମାନରେ କ’ଣ ସବୁ ତ୍ରୁଟି ରହିଛି ସେ ମାମଲାର ତଦନ୍ତ ଚାଲିଛି । ଏହା ପୂର୍ବରୁ ମେ’ ମାସରେ ନେପାଳର ଏକ ପାର୍ବତ୍ୟ ଅଞ୍ଚଳରେ ତାରା ଏୟାରର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୨ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ମେ’ ୩୦ ରେ ବିମାନଟି ରାଡାରରୁ ଗାଏବ୍‌ ହୋଇଯାଇଥିଲା ଏବଂ ଏହାର ଧ୍ୱଂସାବଶେଷ ଗୋଟିଏ ଦିନ ପରେ ମିଳିଥିଲା । ଏହି ବିମାନରେ ୧୩ ନେପାଳୀ, ୪ଜଣ ଭାରତୀୟ, ୩ ଜଣ ଜର୍ମାନ ଏବଂ ୩ ଜଣ କ୍ରୁ ସଦସ୍ୟ ଥିଲେ । ଏହି ତାର ଏୟାର ବିମାନଟି ମଧ୍ୟ ପୋଖରା ବିମାନବନ୍ଦରରୁ ମୁସ୍ତାଙ୍ଗର ଜୋମସୋମକୁ ଯାଉଥିଲା । ପ୍ରାୟ ୧୪,୫୦୦ ଫୁଟ ଉଚ୍‌ଚରେ ମୁସ୍ତାଙ୍ଗ ଜିଲ୍ଲାର ମନପାଥୀ ପାହାଡରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା ।

Comments (0)
Add Comment