ନୂଆଦିଲ୍ଲୀ: ଖଦୀ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍ସେନାଙ୍କଦ୍ୱାରା ପ୍ରେରିତ ମାନହାନି ନୋଟିସ୍କୁ ଆଜି ‘ଆମ୍ ଆଦ୍ମି ପାର୍ଟି’ ସାଂସଦ ସଞ୍ଜୟ ସିଂହ ଚରି ଦେଇଛନ୍ତି । ଉକ୍ତ ନୋଟିସ୍କୁ ଚିରି ପକାଇ ରାଜ୍ୟସଭା ସାଂସଦ ଉପରାଜ୍ୟପାଳ ସାକ୍ସେନ୍ଙ୍କୁ କଟୂ ସମାଲୋଚନା କରି ତାଙ୍କୁ ଏହି ସାମ୍ବିଧାନିକ ପଦରୁ ବହିଷ୍କାର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ନୋଟିସ୍କୁ ଟିକି ଟିକି କରି ଚିରି ପକାଇବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ସିଂହ କହିଲେ,ରାଜ୍ୟସଭାର ସଦସ୍ୟ ଭାବେ ମୋର ସତ କହିବା ଅଧିକାର ଅଛି । ଜଣେ ଚୋର,ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କଦ୍ୱାରା ପ୍ରେରିତ ଏହି ସବୁ ଆଇନଗତ ନୋଟିସ୍ ପ୍ରତି ମୋର ଭୟ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଉପରାଜ୍ୟପାଳ କାରିଗରମାନଙ୍କ ଅର୍ଥରୁ ୨.୫ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି । ଆମେ ଦୁର୍ନୀତି ଧରାଦେବାରୁ ସେ ‘ଲିଗାଲ୍ ନୋଟିସ୍’ ପଠାଉଛନ୍ତି । ଲୁଟ୍ ଅର୍ଥ କେଉଁଠି ଅଛି ଜାଣିବା ପାଇଁ ଉପରାଜ୍ୟପାଳ ସାକ୍ସେନାଙ୍କ ବିରୋଧରେ ‘ସିବିଆଇ-ଇଡି’ ତଦନ୍ତ ଆବଶ୍ୟକ । ଏଭଳି ନୋଟିସ୍କୁ ମୁଁ ୧୦ ଥର ଚିରି ଫିଙ୍ଗି ଦେଇପାରିବି ।