ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ବିଜୟ ହାସଲ କରିଛନ୍ତି। ସେ ଦେଶର ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ହରାଇଛନ୍ତି। ଧନଖଡ ଏବେ ଭେଙ୍କେୟା ନାଇଡୁଙ୍କୁ ସ୍ଥାନ ନେବେ। ଧନଖଡଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ୧୫ ଭୋଟ୍ ନାକଚ୍ ହୋଇଛି। ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ଧନଖଡ ବିରୋଧୀ ପ୍ରାର୍ଥୀଙ୍କୁ ୩୪୬ ଖଣ୍ଡ ଭୋଟରେ ହରାଇଛନ୍ତି।
ନିର୍ବାଚନ ଆୟୋଗ ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଧନଖଡ ବିଜୟୀ ହେବେ ବୋଲି ପୂର୍ବରୁ ସ୍ପଷ୍ଟ ହୋଇ ସାରିଥିଲା। ବାସ୍ ନାମକୁ ମାତ୍ର ଔପଚାରିକ ଘୋଷଣା ବାକି ରହିଥିଲା। ଶନିବାର ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦର ମୋଟ୍ ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ସାଂସଦ ମତାଧିକାର ସାବ୍ୟସ୍ତ କରିଥିଲେ। ଟିଏମସିର ୩୪ ସାଂସଦ, ଏସପି ଏବଂ ଶିବସେନାର ଦୁଇ ଜଣ ଏବଂ ବିଏସପିର ଜଣେ ସାଂସଦ ଭୋଟିଂରୁ ବିରତ ରହିଥିଲେ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା ଏବଂ ଏହାର ଘଣ୍ଟାଏ ପରେ ଅର୍ଥାତ ୬ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା।