ଏଣିକି ମହଙ୍ଗା ପଡ଼ିବ ଏକା ସାଙ୍ଗରେ ୨ ସଂସ୍ଥାରେ ଚାକିରି କରିବା

ନୂଆଦିଲ୍ଲୀ: ଯେଉଁମାନେ ଏକାସାଙ୍ଗରେ ଦୁଇଟି ସଂସ୍ଥାରେ ଚାକିରି କରି ଆଜି ଯାଏଁ ଫାଇଦା ଉଠାଇ ଚାଲିଥିଲେ,ଏଣିକି ସେମାନଙ୍କୁ ତାହା ମହଙ୍ଗା ପଡ଼ିବ । କାରଣ,ଆୟକର ବିଭାଗ ଏନେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହି ନିୟମ ଅନୁସାରେ,ଗୋଟିଏ ସଂସ୍ଥାରେ କାର୍ଯ୍ୟ କରୁଥିଲେ ବି ଅନ୍ୟ ସଂସ୍ଥା ଲାଗି କାର୍ଯ୍ୟ କରିବା ମହଙ୍ଗା ପଡ଼ିବ । ଏଥିଲାଗି ଦାଖଲ କରିବାକୁ ପଡ଼ିପାରେ ଅତିରିକ୍ତ ଆୟକର । ଏନେଇ ସତର୍କ କରାଇଛି ଆୟକର ବିଭାଗ । ତାମିଲନାଡୁ, ପୁଦୁଚେରୀ ଓ କେରଳର ପ୍ରିନ୍ସିପାଲ ଆଇଟି କମିଶନ ଆର. ରବିଚନ୍ଦ୍ରନ କହିଛନ୍ତି ଯେ କୌଣସି କମ୍ପାନି ବା କୌଣସି ବ୍ୟକ୍ତିବିଶେଷ ଯଦି ଜଣେ କର୍ମଚାରୀଙ୍କୁ ଏକ ଚାକିରି ଲାଗି ମାସିକ ୩୦ ହଜାର ଟଙ୍କାରୁ ତଦୁର୍ଦ୍ଧ ଦେଉଛନ୍ତି,ତେବେ ସେହି ଅର୍ଥ ଉପରେ ଉପଯୁକ୍ତ ପରିମାଣ ଟିଡିଏସ ଲାଗୁ ହୋଇପାରିବ । ଆୟକର ଆଇନର ଧାରା ୧୯୪-ଗ ଅନୁସାରେ ଏହି ନିୟମ ଲାଗୁ ହେବ । କର୍ମଚାରୀଙ୍କୁ ଚେକ୍‌, ଡ୍ରାଫ୍ଟ ବା ଅନ୍ୟ କୌଣସି ଉପାୟରେ ଦରମା ପ୍ରଦାନ କରାଯାଉଥିବା ବେଳେ ଟିଡିଏସ ଲାଗୁ କରାଯାଇପାରିବ । ଏକ ଆର୍ଥିକ ବର୍ଷରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ଆୟ ହେଉଥିଲେ ସେହି ପରିମାଣ ଅନୁସାରେ ଟିଡିଏସ ଲାଗୁ ବ୍ୟବସ୍ଥା ରହିଛି । ରୟାଲଟି,ପ୍ରଫେସନାଲ ସର୍ଭିସ ଫି,ଟେକନିକାଲ ସର୍ଭିସ ଫି ଆଦି ବାବଦରେ ପ୍ରଦାନ କରାଯାଉଥିବା ପ୍ରାପ୍ୟ ଆୟକର ଆଇନର ଧାର ୨୮-୫-କ ଅନୁସାରେ ଟିଡିଏସ ଲାଗି ପ୍ରଯୁଜ୍ୟ ହେବ । ଟାକ୍ସ ରିଟର୍ଣ୍ଣସରେ ନିଜର ଅତିରିକ୍ତ ଆୟ ସମ୍ପର୍କରେ ଉଲ୍ଲେଖ କରିବା ଲାଗି କର୍ମଚାରୀମାନଙ୍କୁ ଆୟକର ବିଭାଗ ନିର୍ଦ୍ଦେଶ ଦେଇଛି ।

Comments (0)
Add Comment