ଓଡିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀକୁ ନେଇ ଲାଗି ରହିଥିବା ସସ୍‌ପେନ୍ସ ଶେଷରେ ଦୂର ହୋଇଛି । ତା ସହିତ ଓଡ଼ିଶା ପାଇଁ ଖୁସି ଖବର ମଧ୍ୟ ଆସିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଦିବାସୀ ଓ ମହିଳା କାର୍ଡ ଖେଳିଛି ବିଜେପି । ଏନଡିଏ ମେଣ୍ଟ ପକ୍ଷରୁ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଅର୍ଥାତ,ଏହି ପଦ ପାଇଁ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଓ ତାଙ୍କ ମଧ୍ୟରେ ହେବ ସିଧାସଳଖ ଲଢାଇ । ବିଜେପି ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଯଦି ମୁର୍ମୁ ଜିତନ୍ତି, ତା’ହେଲେ ପ୍ରଥମ ଓଡିଆ ଭାବେ ସେ ରାଷ୍ଟ୍ରପତି ହେବେ । ସେହିପରି ସେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଶ୍ରୀମତୀ ମୁର୍ମୁ ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ । ରାଷ୍ଟ୍ରପତି ପଦ ପାଇଁ ଦୌଡରେ ଓଡିଶାର ଜୁଏଲ ଓରାମଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା । କିନ୍ତୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ଦଳର ବରିଷ୍ଠ ନେତା ମୁର୍ମୁଙ୍କ ନାଁ ଉପରେ ମୋହର ମାରିଛନ୍ତି । ଶ୍ରୀମତି ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ପ୍ରଥମ ଆଦିବାସୀ ମହିଳା ଭାବେ ଝାରଖଣ୍ଡର ରାଜ୍ୟପାଳ ହୋଇଥିଲେ । ୨୦୧୫ରୁ ୨୦୨୧ ଯାଏ ସେ ରାଜ୍ୟପାଳ ଭାବେ କାମ କରିଥିଲେ ।

Comments (0)
Add Comment