ନୂଆଦିଲ୍ଲୀ,୩/୧୧ : ମହାରାଷ୍ଟ୍ର,ହରିୟାଣା,ବିହାର,ତେଲେଙ୍ଗାନା,ଓଡିଶା ଓ ଉତ୍ତର ପ୍ରଦେଶରେ ଖାଲି ପଡିଥିବା ୭ଟି ବିଧାନସଭା ଉପନିର୍ବାଚନ ପାଇଁ ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ଗ୍ରହଣ ହୋଇଛି । ନିକଟ ଭବିଷ୍ୟତରେ ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ ଆଜିର ଏହି ୭ଟି ବିଧାନସଭା ଉପନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳମାନଙ୍କ ପାଇଁ ଗୁରୁତ୍ୱ ବହନ କରୁଛି । ବିହାରର ମୋକମା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ରେ ଜନସାଧାରଣ ଭୋଟ୍ ଦେଇଛନ୍ତି । ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ବିଧାନସଭା ନିର୍ବାଚନ ପାଇଁ ଗୁରୁ ନାନକ ଗାର୍ଲସ୍ କଲେଜରେ ପଡିଥିବା ବୁଥ୍ରେ ଲୋକେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ତେଲେଙ୍ଗାନାର ମୁନୁଗୋଡୁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ରେ ଭୋଟ୍ ଶାନ୍ତଶୃଙ୍ଖଳାର ସହ ଭୋଟିଂ ହୋଇଥିବା ବେଳେ ମହାରାଷ୍ଟ୍ରର ଅନ୍ଧେରି ଇଷ୍ଟ୍ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଲୋକେ ଭୋଟ୍ ଦେଇଛନ୍ତି । ହରିୟାଣାର ଆଦମ୍ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ବିଜେପି’ ନେତା କୁଳଦୀପ ବିଷ୍ଣୋଇ ତାଙ୍କ ମତଦାନ କରିଛନ୍ତି । ସକାଳ ୭ଟା ବେଳେ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ନଭେମ୍ବର ୬ ତାରିଖରେ ଭୋଟ୍ ଗଣନା ହେବ ।