କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :
ଧର୍ମାନ୍ତରୀକରଣ ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛ ଜଣାଅ

ନୂଆଦିଲ୍ଲୀ,୨୩/୯ : ଦେଶରେ ବିଭିନ୍ନ ଉପାୟରେ ଧର୍ମାନ୍ତରୀକରଣ କାର୍ଯ୍ୟ ଏବେ ବି ଚାଲିଛି । ଭୟ,ପ୍ରଲୋଭନ ତଥା ଅର୍ଥ ଉପହାର ଦେଇ ଧର୍ମାନ୍ତରୀକରଣ କରାଯାଉଛି । ଏହାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରି ଆଗତ ହୋଇଥିବା ପିଟିସନ ଉପରେ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ବଳପୂର୍ବକ ଧର୍ମାନ୍ତରୀକରଣକୁ ବନ୍ଦ କରିବା ପାଇଁ କ’ଣସବୁ ପଦକ୍ଷେପ ନିଆଯାଇଛି,ତାହା ଜଣାଇବା ଲାଗି କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ରକୁ କୁହାଯାଇଛି । ଜଷ୍ଟିସ୍‌ ଏମଆର ଶାହ ଏବଂ କ୍ରିଷ୍ଣା ମୁରାରି କେନ୍ଦ୍ର ଗୃହମନ୍ତ୍ରଣାଳାୟ ଏବଂ ଆଇନ, ନ୍ୟାୟ ମନ୍ତ୍ରଣାଳୟକୁ ନୋଟିସ କରିଛନ୍ତି । ନଭେମ୍ବର ୧୪ ସୁଦ୍ଧା ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଡଭୋକେଟ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ କୋର୍ଟ କେନ୍ଦ୍ରକୁ ନୋଟିସ କରିଛନ୍ତି । ଆବେଦନକାରୀ ତାଙ୍କ ଆବେଦନରେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ବଳପୂର୍ବକ ଧର୍ମାନ୍ତରୀକରଣକୁ ରୋକିବା ପାଇଁ ପଦକ୍ଷେପ ନେବାଲାଗି ସୁକ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଅପିଲ କରିଛନ୍ତି । ସେ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ପ୍ରଲୋଭନ, ଧମକ ଏବଂ ମୋଟା ଅଙ୍କର ଅର୍ଥ ଦେଇ ଧର୍ମାନ୍ତୀକରଣ କରାଯାଉଛି । ଏହା ଏକ ଜାତୀୟ ସମସ୍ୟାରେ ପରିଣତ ହୋଇଛି । ସବୁ ରାଜ୍ୟରେ ଏହି ସମସ୍ୟା ଉତ୍କଟ ହେଲାଣି । ତେଣୁ ଏହାକୁ ମୁକାବିଲା ପାଇଁ ସରକାର ତତ୍ପର ହେବା ଉଚିତ । କୌଣସି ରାଜ୍ୟ ଧର୍ମାନ୍ତରୀକରଣ ଜାଲରୁ ମୁକ୍ତ ନୁହଁ ବୋଲି ସେ ଦର୍ଶାଇଛନ୍ତି । ପ୍ରତି ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରୁ ଧର୍ମାନ୍ତୀରକରଣ ମାମଲା ସାମ୍ନାକୁ ଆସୁଛି । ସେହିପରି ଧର୍ମାନ୍ତୀକରଣ ପାଇଁ ଅନ୍ଧବିଶ୍ୱାସର ସାହାରା ତଥା ଗୁଣିଗାରେଡି ମଧ୍ୟ କରାଯାଉଛି । କିନ୍ତୁ ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସଚେତନ ନଥିବା ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ।

Comments (0)
Add Comment