ନୂଆଦିଲ୍ଲୀ:
ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇପାରେ, କାରଣ କେନ୍ଦ୍ର ଦେଇଥିବା ପ୍ରସ୍ତାବରେ ଚାଷୀ ମାନେ ରାଜି ଥିବା ଜଣାପଡ଼ିଛି । ଦୀର୍ଘ ଦେଢ଼ ବର୍ଷ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନର ଆଜି ଯବନିକା ପଡ଼ିପାରେ। ଚାଷୀ ଆଇନକୁ ବିରୋଧ କରି ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଏମିତି କି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରିନେଇଥିଲେ ସୁଦ୍ଧା ଚାଷୀମାନେ ଆନ୍ଦୋଳନରୁ ହଟି ନଥିଲେ। ଇତି ମଧ୍ୟରେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିଥିଲା।
ସାମ୍ମ୍ୟୁକ୍ତ କିଶାନ ମୋର୍ଚ୍ଚା ନେତୃତ୍ୱରେ ଜାରି ରହିଥିବା ଆନ୍ଦୋଳନକୁ ଭବିଷ୍ୟତରେ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। କୃଷି ଆଇନକୁ ବିରୋଧ କରି ଗତ ନଭେମ୍ବର ମାସରେ ପାଖାପାଖି ୪୦ଟି ଚାଷୀ ସଙ୍ଗଠନ ପକ୍ଷରୁ କେନ୍ଦ୍ର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦିଆଯାଇଥିଲା। ଏହା ପରେ ଆନ୍ଦୋଳନ ତୀବ୍ରତର ହେବା ସହ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଲାଠି ମାଡ଼ ସହ ଚାଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏପରିକି ଆନ୍ଦୋଳନ ବେଳେ ଅନେକ ଚାଷୀଙ୍କ ପ୍ରାଣହାନୀ ଘଟିଛି।