ଚିକିତ୍ସା ଇତିହାସରେ ପ୍ରଥମ : ଔଷଧରେ ଭଲ ହୋଇଗଲା କ୍ୟାନସର!

ୱାଶିଂଟନ: ସାଧାରଣତଃ କ୍ୟାନସର ନାଁ ଶୁଣିଲେ ସମସ୍ତେ ଛାନିଆଁ ହୁଅନ୍ତି । କାରଣ,ଏହା ଦୁଃସାଧ୍ୟ । ଭଲ ହେବାର ସମ୍ଭାବନା ବହୁତ କମ । ଏହାର ଔଷଧୀୟ ନିିଦାନ ନାହିଁ । କିନ୍ତୁ ଏବେ ଆସିଛି ଏକ ଚମକ୍ରାର ଓ ସମସ୍ତଙ୍କୁ ଖୁସି କଲାଭଳି ଖବର । ଔଷଧରେ ଭଲ ହୋଇଛି କ୍ୟାନସର । ରେକ୍ଟାଲ୍‌ କ୍ୟାନସରର ଚିକିତ୍ସା ପାଇଁ ପ୍ରସ୍ତୁତ ଔଷଧର ପ୍ରାଥମିକ ପରୀକ୍ଷଣରୁ ଏହି ସୁଖବର ମିଳିଛି । ଏହି ଔଷଧର ଉପଚାରରେ ସମସ୍ତ ୧୮ ଜଣ ରୋଗୀ କ୍ୟାନସରରୁ ମୁକ୍ତି ପାଇଛନ୍ତି । ଏହି ଖବର ଏବେ ମେଡିକାଲ ଜଗତରେ ନୂଆ ଆଶା ସଞ୍ଚାର କରିଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଥମିକ ଭାବେ ବହୁତ ଛୋଟିଆ ଟ୍ରାଏଲ କରାଯାଇଥିଲା । ଏଥିରେ ୧୮ ଜଣ ଲୋକ ସାମିଲ ଥିଲେ । ସମସ୍ତଙ୍କୁ ଡୋଷ୍ଟାରଲିମାବ ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା । ଟ୍ରାଏଲର ଶେଷରେ ସମସ୍ତ ୧୮ ଜଣ ରୋଗୀଙ୍କ ଶରୀରରୁ କ୍ୟାନସର ନିଶ୍ଚିହ୍ନ ହୋଇଯାଇଛି । ଟ୍ରାଏଲ ପରେ ହୋଇଥିବା ବିଭିନ୍ନ ପରୀକ୍ଷା ବେଳେ ସେମାନଙ୍କ ଶରୀରରୁ କୌଣସି ପ୍ରକାରର କର୍କଟ ଚିହ୍ନଟ ହୋଇ ନଥିବା ରିପୋର୍ଟରେ ଦାବି କରାଯାଇଛି । ମଣିଷ ଶରୀରରେ ବିକଳ୍ପ ଆଣ୍ଟିବଡି ଭାବେ କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁଲ୍‌ ଏହି ଡୋଷ୍ଟାରଲିମାବ ଔଷଧରେ ରହିଛି । ପରୀକ୍ଷା ବେଳେ ସମସ୍ତ ୧୮ ଜଣ ରୋଗୀଙ୍କୁ ସମାନ ଔଷଧ ଦିଆଯାଇଥିଲା । ୬ ମାସ ପରେ ଏଣ୍ଡୋସ୍କପି,ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗର ଚିହ୍ନବର୍ଣ୍ଣ ମିଳି ନାହିଁ । ନ୍ୟୁୟର୍କର ମେମୋରିଆଲ ସ୍ଲୋଅନ କେଟ୍ଟେରିଙ୍ଗ କ୍ୟାନସର ସେଣ୍ଟରର ଡାକ୍ତର ଲୁଇସ ଏ ଡିଆଜ ଜେ କହିଛନ୍ତି, ସମ୍ଭବତଃ କ୍ୟାନସର ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି । କର୍କଟ ରୋଗୀମାନଙ୍କୁ ସାଧାରଣତଃ କଠିନ ଚିକିତ୍ସା ପଦ୍ଧତିର ସମ୍ମୁଖୀନ ହେବାକୁ ପଡିଥାଏ । ଯେଉଁଥିରେ ଅସ୍ତ୍ରୋପଚାର, କେମୋଥେରାପି ଓ ବିକିରଣ ଭଳି ପଦ୍ଧତି ରହିଛି । ଏହାଦ୍ୱାରା ବେଳେ ବେଳେ ମୂତ୍ରାଶୟ ଓ ସେକ୍ସୁଆଲ ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡ ।

Comments (0)
Add Comment