ଝୁଲାପୋଲ ଅଘଟଣ ନେଇ ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ଗୁଜୁରାଟର ମର୍ବି ଝୁଲାପୋଲ ଅଘଟଣ ସଂପର୍କରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଅଘଟଣ ପାଇଁ ମୁଖ୍ୟତଃ ବ୍ରିଜ୍‌ର ମରାମତି ଓ ରକ୍ଷାଣବେକ୍ଷଣ ଦାୟିତ୍ୱ ନେଇଥିବା ଅଜନ୍ତା ଓରେଭା କମ୍ପାନୀ ଦାୟୀ ବୋଲି ସ୍ପଷ୍ଟ କରିଦେଇଛି । ଏଣେ ଏହି ଅଘଟଣକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । କୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆସନ୍ତା ୧୪ରେ ଏହି ମାମଲାର ପ୍ରଥମ ପର୍ଯ୍ୟାୟ ଶୁଣାଣି ହେବ । ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ପୁରାତନ ସ୍ମାରକ ଏବଂ ସେତୁର ସର୍ବେକ୍ଷେଣ କରାଯାଇ ଏହାର ମୂଲ୍ୟାଙ୍କନ ନିମନ୍ତେ କମିଟି ଗଠନ କରିବାକୁ ଅବେଦନରେ ଦାବି କରାଯାଇଛି । ଗୁଜରାଟ ମୋର୍ବି ଝୁଲା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪୧ ଜଣଙ୍କ ମୃତ୍ୟୁ ହୋଇଛି । ସାତ ମାସର ମରାମତି ପରେ ବିନା ଫିଟନେସ୍‌ ସାର୍ଟିଫିକେଟରେ କେମିତି ପୋଲ ଖୋଲିବାକୁ ଅନୁମତି ଦିଆଗଲା, ସେ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି । ସେପେଟେ ଆଜି ମୋର୍ବି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ପ୍ରାଣ ହରାଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉକ୍ତ ହସ୍ପିଟାଲ୍‌ ଗସ୍ତ କରି ରୋଗୀଙ୍କୁ ଭେଟିଛନ୍ତି ।
ଦୁର୍ଘଟଣାକୁ ନେଇ ରାଜ୍ୟବ୍ୟାପୀ ଶୋକ ଘୋଷଣା ହୋଇଛି । ଆସନ୍ତାକାଲି ଏହି ରାଜ୍ୟବ୍ୟାପୀ ଶୋକ ପାଳନ ହେବ ବୋଲି ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ୱିଟ୍‌ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗାନ୍ଧୀନଗରସ୍ଥିତ ରାଜଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଟ୍ଟାଳିକା ଉପରେ ଜାତୀୟ ପତାକା ଉଡାଯିବ । କୌଣସି ପ୍ରକାରର ସରକାରୀ ବା ବେସରକାରୀ ଉତ୍ସବ,ଭୋଜି କିମ୍ବା କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ । ମୃତକମାନଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ମୁଁ ସାରା ରାଜ୍ୟବାସୀଙ୍କୁ ନବେଦନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜୁରାଟର ମୋର୍ବିକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କଣିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୃତକମାନଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା ହୋଇଛି । ସେହିଗରି କ୍ଷତାକ୍ତଙ୍କ ପରିବାରକୁ ୫୦ ହଜାର ଟଙ୍କା ଘୋଷଣା ହୋଇଛି । ଗୁଜୁରାଟର ମୋର୍ବିରେ ହୋଇଥିବା ମର୍ମନ୍ତୁଦ କେବୁଲ ବ୍ରିଜ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢିଚାଲିଛି । ଏବେ ବି ପ୍ରଶାସନ ପକ୍ଷରୁ ନିଖୋଜଙ୍କ ସଂଧାନ ଓ ଉଦ୍ଧାର କାମ ଜାରି ରହିଛି ।

Comments (0)
Add Comment