ଡଙ୍ଗା ଓଲଟି ୨୪ମୃତ

ନୂଆଦିଲ୍ଲୀ: ରବିବାର ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରାଟୋୟା ନଦୀରେ ଡଙ୍ଗା ବୁଡ଼ି ୨୪ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି । ମାରିଆ କେନ୍ଦ୍ର ପରିଷଦ ଅନ୍ତର୍ଗତ ଅଲିୟାର ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରବିବାର ଅପରାହ୍ନରେ ମହାଳୟା ଅବସରରେ ଆୟୁଲିଆ ଘାଟରୁ ବେଶ୍ୱର ମନ୍ଦିର ଆଡ଼କୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀର ମଧ୍ୟଭାଗରେ ବୁଡ଼ିଯାଇଥିଲା । ଅନେକ ଯାତ୍ରୀ ପହଁରି କୂଳକୁ ଆସିଥିବା ବେଳେ ଡଙ୍ଗାରେ ଥିବା ମହିଳା ଓ ଶିଶୁ ବୁଡିଯାଇଥିଲେ । ସୂଚନା ପାଇବା ପରେ ପଞ୍ଚାଗଡ଼ର ଡେପୁଟି କମିଶନର ମହମ୍ମଦ ଜହୁରୁଲ ଇସଲାମ ଓ ପୁଲିସ ଅଧୀକ୍ଷକ ଏସ ଏମ ସିରାଜୁଲ ହୁଡା ଘଟଣାସ୍ଥଳରେ ପହଞ୍ଚିଥିଲେ । ଡେପୁଟି କମିଶନର କହିଛନ୍ତି ଯେ,ଡଙ୍ଗାରେ ଦରକାରଠାରୁ ଅଧିକ ଯାତ୍ରୀ ଥିବାରୁ ଡଙ୍ଗାଟି ବୁଡିଯାଇଥିଲା । ଏହା ଫଳରେ ୨୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଥିବା ମୃତ ଦେହଗୁଡିକରେ ମହିଳା ଏବଂ ଶିଶୁ ରହିଛନ୍ତି । ଏବେ ବି ନିଖୋଜ ଥିବା ଲୋକଙ୍କୁ ଖୋଜିବା ଜାରି ରହିଛି । ଏବେ ଘଟଣାର ଅନୁସନ୍ଧାନ ପାଇଁ ଏକ ପାଞ୍ଚ ଜଣିଆ ଟିମ୍‌ ଗଠନ କରାଯାଇଛି । ଇସଲାମ କହିଛନ୍ତି ଯେ, ନିଖୋଜ ଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଜଣାନାହିଁ । ହେଲେ ଡଙ୍ଗାରେ ପ୍ରାୟ ୭୦ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି ।

Comments (0)
Add Comment