ନୂଆ ଲିଷ୍ଟିଂ ବ୍ୟବସ୍ଥାକୁ ଲାଗୁ କରି ଆମେ ରିସ୍କ ନେଇଛୁ : ସିଜେଆଇ

ନୂଆଦିଲ୍ଲୀ,୧୬/୯ : ଯେ କୌଣସି ସମସ୍ୟାର ସମାଧାନ ପାଇଁ ଭଲ ରଣନୀତି ଓ ସହଯୋଗ ସବୁଠୁ ବଡ଼ ଜରୁରୀ । ଏହା ନିହାତି ଆବଶ୍ୟକ । ଏହି ସହଯୋଗ ଯୋଗୁ ହିଁ ଏବେ ମାମଲା ସଂଖ୍ୟା କମିବା ଆରମ୍ଭ କରିଛି । ଏଥିପାଇଁ ମୁଁ ବିଚାରପତି,କୋର୍ଟ କର୍ମଚାରୀ ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏକ କାର୍ଯ୍ୟକ୍ରମରେ ଉଦବୋଧନ ଅବସରରେ ଏହା କହିଛନ୍ତି ସୁପ୍ରିମକୋର୍ଟର ନୂତନ ପ୍ରଧାନ ବିଚାରପତି ୟୁୟୁ ଲଳିତ । ସେ କହିଛନ୍ତି ଯେ ମାମଲାର ଶୁଣାଣି ପାଇଁ ନୂଆ ବ୍ୟବସ୍ଥା ଯୋଗୁ ସୁପ୍ରିମକୋର୍ଟରେ ପଡି ରହିଥିବା ମାମଲାର ସଂଖ୍ୟା ମଧ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି । ଗଲା ୧୩ଟି କାର୍ଯ୍ୟ ଦିବସରେ ମୋଟ ୫,୨୦୦ଟି ମାମଲାକୁ ରଫାଦଫା କରାଯାଇଛି । ଏହି ସମୟରେ ୧୧୩୫ଟି ନୂଆ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି । ଏହାର ଅର୍ଥ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଅପେକ୍ଷା କରିଥିବା ମାମଲା ସଂଖ୍ୟା ପ୍ରାୟ ୪ ହଜାର ହ୍ରାସ ପାଇଛି । ନୂଆ ସିଜେଆଇଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସୁପ୍ରିମକୋର୍ଟ ଓକିଲ ସଂଘ ପକ୍ଷରୁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇ ସିଜେଆଇ ଜଷ୍ଟିସ ଲଳିତ କହିଛନ୍ତି ଯେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଓ ଅନ୍ୟମାନଙ୍କ ସହଯୋଗ ପାଇଁ ପଡି ରହିଥିବା ମାମଲା ସଂଖ୍ୟା ହ୍ରାସ ପାଇଛି । ନୂଆ ଲିଷ୍ଟିଂ ବ୍ୟବସ୍ଥାକୁ ନେଇ ବିଚାରପତିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଗୁଜବ ଭିତରେ ବି କାମ ହୋଇଛି । ଲିଷ୍ଟିଂକୁ ନେଇ ଅନେକ ପ୍ରକାରର କଥା କୁହାଯାଉଛି । କିନ୍ତୁ ଏଠାରେ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ନୂଆ ଲିଷ୍ଟିଂ ବ୍ୟବସ୍ଥାକୁ ଲାଗୁ କରି ରିସ୍କ ନେଇଛୁ । ତେଣୁ ସ୍ୱାଭାବିକ ଭାବେ ଏହାକୁ ନେଇ କିଛି କିଛି ସମସ୍ୟା ରହିବ । ଗତକାଲି ସୁଦ୍ଧା ପ୍ରାୟ ୫,୨୦୦ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ମାତ୍ର ୧୧୩୫ ନୂଆ ଆବେଦନ ରୁଜୁ କରାଯାଇଛି । ଏହା କେବଳ ମୋର ଭାଇ, ଭଉଣୀ ବିଚାରପତି ଓ ବାରର ସଦସ୍ୟମାନଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ନୂଆ ଲିଷ୍ଟିଂ ବ୍ୟବସ୍ଥା ଯୋଗୁ ମାମଲା ଗୁଡିକର ଶୁଣାଣି ତାଲିକା ଶେଷ ମୁହୂର୍ତ୍ତରେ ପ୍ରସ୍ତୁତ କରାଯାଉଛି । ଏହାଦ୍ୱାରା ବିଚାରପତି ଓ ଓକିଲମାନଙ୍କ ଉପରେ ଅତିରିକ୍ତ କାମ ଚାପ ସୃଷ୍ଟି ହେଉଛି । ହେଲେ ଏହି ସମସ୍ୟାକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ଜଷ୍ଟିସ ଲଳିତ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Comments (0)
Add Comment