ପ୍ରଧାନମନ୍ତ୍ରୀଭାବେ ଶପଥ ନେଲେ ଟ୍ରସ୍‌

ଲଣ୍ଡନ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଲିଜ୍‌ ଟ୍ରସ । ତାଙ୍କୁ ଆଜି ରାଣୀ ଏଲିଜାବେଥ-୨ ବିଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ଫାଷ୍ଟ ଲର୍ଡ ଅଫ ଟ୍ରେଜେରୀ ଭାବେ ନିଯୁକ୍ତ କରିଛନ୍ତି । ଟ୍ରସ ଆଜି ରାଣୀ ଏଲିଜାବେଥଙ୍କୁ ଭେଟିବା ପରେ ଏପରି ନିଯୁକ୍ତି ପାଇଛନ୍ତି । ଲିଜ ଟ୍ରସ ମଙ୍ଗଳବାର ସ୍କଟଲ୍ୟାଣ୍ଡରେ ଥିବା ବାଲମୋରାଲ କାଷ୍ଟେଲରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ତାଙ୍କୁ ରାଣୀ ଏଲିଜାବେଥ-୨ ବିଧିବଦ୍ଧ ଭାବେ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି । ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ବୋରିସ ଜନସନ ରାଣୀ ଏଲିଜାବେଥ-୨ଙ୍କୁ ଭେଟିଥିଲେ । ଏହି ସମୟରେ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଣୀଙ୍କ ୭୦ ବର୍ଷର କ୍ଷମତା ଭିତରେ ସେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମଥର ପାଇଁ ବାଲମୋରାଲରେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପୂର୍ବରୁ ଲଣ୍ଡନରେ ଥିବା ବକିଂହାମ ପ୍ୟାଲେସରେ ସେ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେଉଥିଲେ । ଏଥର ଲିଜ୍‌ ଟ୍ରସଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ୪୭ ବର୍ଷୀୟ ଟ୍ରସ ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟ ଅଭିମୁଖେ ଉଡାଣ କରିଛନ୍ତି । ସେଠାରେ ସେ ପ୍ରଧାନମନ୍ତ୍ରୀ ଭାବେ ନିଜର ପ୍ରଥମ ଅଭିଭାଷଣ ରଖିବେ । ଏଥିସହ ନିଜର କ୍ୟାବିନେଟ ସମ୍ପର୍କରେ ମଧ୍ୟ ଘୋଷଣା କରିବେ । ସୋମବାର ଲିଜ୍‌ ଟ୍ରସ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ହରାଇ କଞ୍ଜରଭେଟିଭ ପାର୍ଟିର ମୁଖିଆ ନିର୍ବାଚନ ଜିତିଥିଲେ । ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାରରେ ଅର୍ଥ ଓ ଲିଜ୍‌ ଟ୍ରସ୍‌ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ନିର୍ବାଚନରେ ଲିଜଙ୍କୁ ୮୧ହଜାର ୩୨୬ ଖଣ୍ଡ ଭୋଟ୍‌ ଓ ଋଷି ସୁନକଙ୍କୁ ୬୦ହଜାର ୩୯୯ ଖଣ୍ଡ ଭୋଟ୍‌ ମିଳିଥିଲା ।

Comments (0)
Add Comment