ନୂଆଦିଲ୍ଲୀ: ଭାରତରେ କରୋନାର ଦୈନିକ ସଂକ୍ରମଣ ଏବେ ତଳମୁହ÷ାଁ ହୋଇଛି । ସଂକ୍ରମଣ ଦ୍ରୁତ ଗତିରେ କମୁଛି । ତେବେ ଏହି ତଳମୁହାଁ ଧାରା ସତ୍ତେ୍ୱ ଦେଶରେ ଟିକାକରଣ ଜାରି ରହିଛି । ଏବେ ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ଆଉ ଏକ ବଡ ଅସ୍ତ୍ର । ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ବିରୋଧୀ ନାଜାଲ ଟିକା ବା ନାକରେ ପଡୁଥିବା ଟିକାକୁ ଆଜି ଭାରତ ସରକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ପ୍ରଥମଥର ପାଇଁ ଦେଶରେ କୌଣସି ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି । ଏହାର ଅର୍ଥ ଆଉ ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡିବ ନାହିଁ । ସେମାନେ ସାଧାରଣ ଟିକା ଭଳି ନାକରେ କରୋନା ଟିକା ନେଇ ପାରିବେ । ତେବେ ପ୍ରାଥମିକ ଅବସ୍ଥାରେ ଏହି ଟିକାକୁ କେବଳ ପ୍ରାପ୍ତ ବୟସ୍କମାନେ ହିଁ ନେଇ ପାରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ କୋଭିଡ ବିରୋଧୀ ଲଢେଇକୁ ବଡ ବୁଷ୍ଟର ମିଳିଛି । ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ନାଜାଲ ଟିକାକୁ ଅନୁମିତ ମିଳିଛି । ଏବେ ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ । ଏହି ପଦକ୍ଷେପ କରୋନା ବିରୋଧରେ ଆମେ ମିଳିତ ଭାବେ କରୁଥିବା ଲଢେଇକୁ ଅଧିକ ବଳ ଦେବାରେ ସହାୟକ ହେବ ବୋଲି ସେ କେହିଛନ୍ତି । ଫେବୃଆରୀ ମାସରେ ମୁମ୍ବାଇ ଭିତ୍ତିକ ଗ୍ଲେନମାର୍କ ଭାରତରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଗୋଟିଏ ନାଜାଲ ସ୍ପ୍ରେ ବାହାର କରିଥିଲା । ପ୍ରାପ୍ତ ବୟସ୍କଙ୍କ ପାଇଁ ଏହି ସ୍ପ୍ରେକୁ ବିକଶିତ କରାଯାଇଥିଲା । କମ୍ପାନୀକୁ ଉତ୍ପାଦନ ଓ ମାର୍କେଟିଂ ପାଇଁ ଡିସିଜିଆଇ ଅନୁମତି ଦେଇଥିଲା । ହେଲେ ପ୍ରଥମଥର ପାଇଁ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି ।