ବିଜେପିରେ ଯୋଗଦେଲେ କ୍ୟାପ୍‌ଟେନ୍‌ ଅମରିନ୍ଦର

ବିଜେପିରେ ଯୋଗଦେଲେ କ୍ୟାପ୍‌ଟେନ୍‌ ଅମରିନ୍ଦର

ନୂଆଦିଲ୍ଲୀ: ବିଜେପିରେ ଆଜି ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ । ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୀନ କରିଛନ୍ତି କ୍ୟାପ୍‌ଟେନ । ପଞ୍ଜାବ ନିର୍ବାଚନ ପୂର୍ବରୁ ଅମରିନ୍ଦର କଂଗ୍ରେସ ଛାଡି ନୂଆଦଳ ଗଠନ କରିଥିଲେ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜ୍ଜୁ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ଥିଲେ । ବିଜେପିରେ ଯୋଗ ଦେଇ ସେ ଖୁସିଥିବା କ୍ୟାପ୍‌ଟେନ କହିଛନ୍ତି । ଲଣ୍ଡନରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଭାରତ ଫେରିଥିବା ଅମରିନ୍ଦର ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକାଧିକ ଥର ଭେଟିଥିଲେ । ଏହାକୁ ନେଇ ବିଜେପିରେ ତାଙ୍କର ମିଶ୍ରଣକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଗତ ବର୍ଷ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢିବାରେ ଲାଗିଥିଲା । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିଲେ । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମନୋମାଳିନ୍ୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ତାଙ୍କ ଇସ୍ତଫା ପରେ କଂଗ୍ରେସ ପକ୍ଷରୁ ଚରଣଜିତ ସିଂ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେ କଂଗ୍ରେସରୁ ଅଲଗା ହେବା ପରେ ନିଜସ୍ୱ ଦଳ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢିଥିଲେ । ହେଲେ ସେ କିମ୍ବା ତାଙ୍କ ଦଳର ଜଣେ ହେଲେ ବି ପ୍ରାର୍ଥୀ ନିର୍ବାଚନ ଜିତିବାକୁ ସକ୍ଷମ ହୋଇ ନଥିଲେ । ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଥିବା ଶ୍ରୀ ସିଂହ ସଂପୂର୍ଣ୍ଣ ଭାବେ ପଦ୍ମ ଦଳ ସହ ଲୀନ ହେବେ ବୋଲି ଚର୍ଚ୍ଚା ହୋଇଥିଲା ।

Comments (0)
Add Comment