ନୂଆଦିଲ୍ଲୀ: ଭାରତରେ ଅତି ସଂକ୍ରମଣଶୀଳ ଓମିକ୍ରନ୍ କରୋନାଭାଇରସ୍ର ଉପ-ପ୍ରଜାତି ‘ବିଏ.୨.୭୫’ ରହିଛି ବୋଲି ଜଣେ ଇସ୍ରାଏଲୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଉକ୍ତ ଓମିକ୍ରନ୍ ଉପ-ପ୍ରଜାତି ଭାରତର ୧୦ଟି ପ୍ରଦେଶରେ ଚିହ୍ନଟ କରାଯାଇଛି । ସେଥିରେ ରହିଛି ଦିଲ୍ଲୀରେ ୧ଟି, ହରିୟାଣାରେ ୬ଟି, ହିମାଚଳ ପ୍ରଦେଶରେ ୩ଟି, ଜମ୍ମୁରେ ୧ଟି, କର୍ଣ୍ଣାଟକରେ ୧୦ଟି,ମଧ୍ୟପ୍ରଦେଶରେ ୫ଟି, ମହାରାଷ୍ଟ୍ରରେ ୨୭ଟି, ତେଲେଙ୍ଗାନାରେ ୨ଟି, ଉତ୍ତର ପ୍ରଦେଶରେ ୧ଟି ଏବଂ ପଶ୍ଚିମବଙ୍ଗରେ ୧୩ଟି ସଂକ୍ରମଣ ମାମଲା । କିନ୍ତୁ, ଦେଶରେ ଏହି ଓମିକ୍ରନ୍ କରୋନାଭାଇରସ୍ର ଉପ-ପ୍ରଜାତିର ଚିହ୍ନଟ ହୋଇଥିବା କଥା ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଔପଚାରିକ ଭାବେ ସୁନିଶ୍ଚିତ କରିନାହିଁ । ତେଲ୍ ହାସୋମର୍ସ୍ଥିତ ଶେବା ମେଡିକାଲ୍ ସେଣ୍ଟର୍ର ‘ସେଣ୍ଟ୍ରାଲ୍ ଭାଇରୋଲୋଜି ଲାବ୍ରୋଟରି’ର ଡାକ୍ତର ସେ’ ଫ୍ଲେସ୍ନ୍ ଟୁଇଟ୍ କରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ୮ଟି ଦେଶରୁ ୮୫ଟି ‘ସିକ୍ୱେନସ୍’ (ଭୂତାଣୁର ଗୁଣସୂତ୍ର ଅନୁକ୍ରମ) ‘ନେକ୍ଷ୍ଟ୍ ଷ୍ଟ୍ରେନ୍’ରେ ଅପ୍ଲୋଡ୍ କରାଯାଇଛି । (ଏହା ହେଉଛି ‘ଜିଓନୋମିକ୍ ଡାଟା’ର ମୁକ୍ତ-ଉତ୍ସ ପ୍ଲାଟଫର୍ମ ।) ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତ ଛଡା ଆଉ ୭ଟି ଦେଶରେ ମଧ୍ୟ ଓମିକ୍ରନ୍ କରୋନାଭାଇରସ୍ର ଉପ-ପ୍ରଜାତି ଚିହ୍ନଟ ହୋଇଛି । ସେଥିରୁ ଜାପାନରେ ୧ଟି, ଜର୍ମାନିରେ ୨ଟି, ଇଂଲଣ୍ଡ୍ରେ ୬ଟି, କାନଡାରେ ୨ଟି, ଯୁକ୍ତରାଷ୍ଟ୍ର ଆମେରିକାରେ ୨ଟି, ଅଷ୍ଟ୍ରେଲିଆରେ ୧ଟି ଓ ନିଉଜିଲାଣ୍ଡ୍ରେ ୨ଟି ଓମିକ୍ରନ୍ କରୋନାଭାଇରସ୍ର ଉପ-ପ୍ରଜାତି ସଂକ୍ରମଣ ଚିହ୍ନଟ ହୋଇଛି ।