ଭୂମିକମ୍ପରେ ଥରିଲା ଛତିଶଗଡ

ରାୟପୁର: ଭୂକମ୍ପରେ ଥରିଲା ଛତିଶଗଡ । ଗୁରୁବାର ସୁରଜପୁର ଜିଲ୍ଲାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ମୁତାବକ,ଆଜି ମଧ୍ୟାହ୍ଣ ସମୟରେ ସୁରଜପୁର ଅଞ୍ଚଳରେ ଭୂମିକମ୍ପର ହାଲ୍‌କା ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା । ଏଥିସହ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିଲା । ଏହି କ୍ୟାଟେଗୋରୀର ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହେବା ଆଶଙ୍କା ନଥାଏ ବୋଲି ଅଧିକାରୀମାନେ କହିଛନ୍ତି । ସେପଟେ ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇପଡିବା ସହ ଘରୁ ବାହାରକୁ ବହାରି ଆସିଥିଲେ । ଏଥି ସହ ସୁରଜପୁର ଜିଲ୍ଲା ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଭୂକମ୍ପ ଘଟିଛି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନାହାନ୍ତି । ଗତ ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ରାଜ୍ୟର ଉତ୍ତର ଅଞ୍ଚଳର ଜିଲ୍ଲାମାନଙ୍କରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଉଲ୍ଲେଖଯୋଗ୍ୟ,୪ ଦିନ ପୂର୍ବେ ଉତ୍ତର ବିହାରର ଅନେକ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ବିହାରର ସୀତାମାଢି ମୁଜଫରପୁର,ଭାଗଲପୁର ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ର ସ୍ଥଳ ନେପାଳରେ ଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଥିଲା । ସେହିପରି ନେପାଳର ରାଜଧାନୀ କାଠମାଣ୍ଡୁ ମଧ୍ୟ ଥରି ଉଠିଥିଲା ।

Comments (0)
Add Comment