ମଙ୍କିପକ୍ସ ଟିକା ବାହାର କରିବା ପାଇଁ ଟେଣ୍ଡର ଆହ୍ୱାନ କଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ ଜଣକ ପରେ ଜଣେ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ସରକାରଙ୍କ ଚିନ୍ତା ବଢିଯାଇଛି । ଏହାର ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସ୍ଥିତିକୁ ଆଖି ଆଗରେ ରଖି ମଙ୍କିପକ୍ସ ନିମନ୍ତେ ଏକ ଟିକା ବାହାର କରିବାକୁ ଭାରତ ସରକାରଙ୍କ ଅଧିନସ୍ଥ ଆଇସିଏମଆର( ଭାରତୀୟ ଭେଷଜ ଗବେଷଣା ପରିଷଦ) ପକ୍ଷରୁ ଟିକା,ଔଷଧ ପ୍ରସ୍ତୁତକାରୀ କମ୍ପାନିମାନଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି । ଏହା ସହିତ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ପାଇଁ ଏକ ଟେଷ୍ଟିଂ କିଟ୍‌ ବିକାଶ ପାଇଁ ମଧ୍ୟ ବିଡ୍‌ ଆହ୍ୱାନ କରାଯାଇଛି । ବି଼ଡ୍‌ ଦାଖଲର ଶେଷ ତାରିଖ ଅଗଷ୍ଟ ୧୦ ରଖାଯାଇଛି । ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ମଙ୍କିପକ୍ସ ପାଇଁ ଗୋଟିଏ ଟିକା ୨୦୧୯ରୁ ଉପଲବ୍ଧ ଥିବାବେଳେ ୨୦୨୨ରେ ଏହାର ଏକ ଚିକିତ୍ସା ପଦ୍ଧତି ଉପଲବ୍ଧ ରହିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତି ପାଇଁ ଏହା ପର୍ଯ୍ୟାପ୍ତ ହେଉନଥିବାରୁ ନୂଆ ଟିକା ବିକାଶର ଆବଶ୍ୟକତା ରହିଛି । ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ମଙ୍କିପକ୍ସ ପାଇଁ ସାମୁହିକ ଟିକାକରଣର ଆବଶ୍ୟକତା ନାହିଁ;ବରଂ ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ନିର୍ଦ୍ଧିଷ୍ଟ ଭାବେ ମଙ୍କିପକ୍ସ ଟିକା ଦିଆଯାଇପାରେ ।

Comments (0)
Add Comment