ମାଟି ତଳୁ ବାହାରିଲା ୧.୨୫ କୋଟିର ଗୁପ୍ତଧନ!

ଭୋପାଳ: ଘର ତିଆରି ବେଳେ ମାଟି ତଳୁ ବାହାରିଲା ଗୁପ୍ତ ଧନ । ଟଙ୍କା ସାଙ୍ଗକୁ ବହୁ ମୂଲ୍ୟବାନ ଅଳଙ୍କାର ମିଳିଛି । ଏତେ ସବୁ ଟଙ୍କା ଓ ସୁନାକୁ ଦେଖି ଶ୍ରମିକମାନେ ଘର ମାଲିକଙ୍କୁ ନଜଣାଇ ନିଜ ନିଜ ଭିତରେ ବାଣ୍ଟିନେଲେ । ଶେଷରେ ଧରାପଡିଲେ । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ । ଧାର ସହରର ଚିଟନିସ୍‌ ଛକ ସ୍ଥିତ ଏକ ଘର ତିଆରି କାମ ଚାଲିଥିଲା । ଏଠାରେ ଶ୍ରମିକମାନେ ଖୋଳାଖୋଳି କାମ କରୁଥିଲେ । ତେବେ ଏତିକି ବେଳେ ମାଟି ତଳୁ ବାହାରିଥିଲା ପାଖାପାଖି ୧.୨୫ କୋଟି ଟଙ୍କାର ବହୁମୂଲ୍ୟ ଗୁପ୍ତଧନ । ଏହାପରେ ଶ୍ରମିକମାନେ ଏହି ଗୁପ୍ତଧନକୁ ନିଜ ନିଜ ଭିତରେ ବାଣ୍ଟି ନେଇଥିଲେ । ଆଉ କିଛି ଶ୍ରମିକ ଏହାକୁ ବିକ୍ରି କରିବା ପାଇଁ ଧାର ସହରରେ ବୁଲୁଥିଲେ । ଜଣେ ଶ୍ରମିକ ମିଳିଥିବା ସୁନା ମୁଦ୍ରା ମଧ୍ୟରୁ ଗୋଟିଏ ମୁଦ୍ରାକୁ ବଜାରରେ ୫୬,୦୦୦ ଟଙ୍କାରେ ବିକ୍ରି କରିଥିଲେ । ଏହି ଟଙ୍କାରେ ତା’ର ଦୈନନ୍ଦିନ ଖର୍ଚ୍ଚ ସହ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ ମଧ୍ୟ କିଣିଥିଲା । ତେବେ ମଦ ନିଶାରେ ସେହି ଶ୍ରମିକ ଜଣକ ଜଣେ ବ୍ୟକ୍ତିଙ୍କୁ ଗୁପ୍ତଧନ ବିଷୟରେ କହିଦେଇଥିଲେ । ପରେ ପୁଲିସ ଖବର ପାଇ ଘରେ କାମ କରୁଥିବା ହିମ୍ମତଗଡ ଗାଁର ୮ଜଣ ଶ୍ରମିକଙ୍କୁ ଗିରଫ କରିଥିଲା । ଗରଫ ଶ୍ରମିକଙ୍କ ନିକଟରୁ ୮୬ଟି ସୁନା ମୁଦ୍ରା, ୧ କିଲୋଗ୍ରାମର ସୁନା ଚେନ୍‌ ମିଳିଛି । ଏହି ସୁନା ଚେନ୍‌ର ମୂଲ୍ୟ ୬୦ ଲକ୍ଷ ଟଙ୍କା କୁହାଯାଉଛି । ଏହା ବ୍ୟତୀତ ଲୁହା ଭଳି ଦେଖାଯାଉଥିବା ଧାତୁର ଲୋଟା ମଧ୍ୟ ଜବତ ହୋଇଛି । ଏହି ମାମଲାରେ ପୁଲିସ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ରାଜସ୍ୱ ବିଭାଗକୁ ସୂଚନା ଦେଇଛି । ଗିରଫ ଶ୍ରମିକମାନଙ୍କୁ ପୁଲିସ ପଚରାଉଚରା କରୁଛି ।

Comments (0)
Add Comment