ଯୋଗ ଦିବସ କାର୍ଯ୍ୟକ୍ରମ ସ୍ଥଳରେ ଆକ୍ରମଣ

ମାଲେ: ଆଜି ମାଳଦ୍ୱୀପରର ରାଜଧାନୀ ମାଲେରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଧିକାରୀ ଓ ଅନ୍ୟ ଲୋକମାନେ ଯୋଗାଭ୍ୟାସ କରୁଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ହୋଇଛି ଆକ୍ରମଣ । ଶତାଧିକ ଲୋକ କାର୍ଯ୍ୟକ୍ରମ ସ୍ଥଳରେ ବିକ୍ଷୋଭ କରିବା ସହ ଆକ୍ରମଣ କରିଛନ୍ତି । ସ୍ଥିତି ଏପରି ହୋଇଥିଲା ଯେ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୁଲିସ୍‌ ଟିୟର ଗ୍ୟାସ ଓ ଲାଠିଚାର୍ଜ କରିଛି । ମାଲେରେ ଥିବା ଗୋଟିଏ ଷ୍ଟାଡିୟମରେ ଯୋଗ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା । ଏଥିରେ ଦୂତାବାସ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀମାନଙ୍କୁ ମିଶାଇ ମୋଟ ୧୫୦ ଜଣ ଲୋକ ଯୋଗାଭ୍ୟାସ କରୁଥିଲେ । ଏହି ସମୟରେ ହଠାତ୍‌ ଶତାଧିକ ଲୋକ ନାରାବାଜି କରି ଷ୍ଟାଡିୟମ ଭିତରକୁ ପଶିଥିଲେ । ସେମାନେ ଯୋଗ କରୁଥିବା ଲୋକଙ୍କୁ ଆକ୍ରମଣ କରିବା ସହ ସେଠାରେ ଥିବା ଜିନିଷ ପତ୍ରକୁ ଭଙ୍ଗାରୁଜା କରିଥିଲେ । ଖବର ପାଇ ପୁଲିସ ତୁରନ୍ତ ସେଠାରେ ପହଞ୍ଚିଥିଲା । ବିକ୍ଷୋଭକାରୀଙ୍କୁ ପୁଲିସ୍‌ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ । ଫଳରେ ପୁଲିସ୍‌ ବାଧ୍ୟ ହୋଇ ଟିୟର ଗ୍ୟାସ ମାଡ କରିଥିଲା ।

Comments (0)
Add Comment