ବେଜିଂ: ଚୀନରେ ଆଜି ଶତାଧିକ ବିମାନଯାତ୍ରୀ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ତିବତ ଏୟାରଲାଇନ୍ସର ଏକ ବିମାନ ଚାଇନିଜ୍ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା । ବିମାନରେ ମୋଟ ୧୧୩ ଜଣ ଯାତ୍ରୀ ଓ ୯ ଜଣ କ୍ରୁ ସଦସ୍ୟ ଥିଲେ । ବିମାନ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କର କୌଣସି କ୍ଷତି ହୋଇନାହିଁ । ସେମାନେ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ବିମାନଟି ଚାଇନାର ଦକ୍ଷିଣପଶ୍ଚିମ ସହର ଚୋଙ୍ଗକ୍ୟୁଇଙ୍ଗରୁ ଲୋକଙ୍କ ଧରି ତିବ୍ୱତର ନୟିଙ୍ଗଚିକୁ ଯିବାର ଥିଲା । ତେବେ ଟେକ୍-ଅପ ବେଳେ ବିମାନଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଏହାପରେ ଉଡାଣକୁ ବାତିଲ କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ରନୱେ ଅତିକ୍ରମ କରି ଆଗକୁ ମାଡି ଯାଇଥିଲା । ଫଳରେ ବାମ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । ଏଥିସହ ବିମାନର ଗୋଟିଏ ଡେଣାର କିଛି ଅଂଶ ମଧ୍ୟ ନିଆଁରେ ଧ୍ୱଂସ ହୋଇଯାଇଛି । ସ୍ଥାନୀୟ ସମୟ ସକାଳ ୮ଟାରେ ଏହି ଘଟଣା ଘଟିଛି । ବିମାନଟି ଦୁର୍ଘଟଣା ପରେ ଜଳୁଥିବା ବେଳର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣା ପରେ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ବିମାନ ମଧ୍ୟରେ ଥିବା ସମସ୍ତ ଲୋକଙ୍କୁ ବାହାର କରିଥିଲେ । ୪୦ ଯାତ୍ରୀ ଦୁର୍ଘଟଣାରେ ଆହତ ହୋଇଛନ୍ତି ।