କୋଲକାତା : “କେଉଁଟା ସତ,କେଉଁଟା ମିଛ,ସବୁ ସମୟ କହିବ’’- ଏଭଳି ଧାଡ଼ିକିଆ ମନ୍ତବ୍ୟ ଦେଇଛନ୍ତି ପଶ୍ଚିମ ବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇ ଏବେ ଇଡି ହେପାଜତରେ ଅଛନ୍ତି ପାର୍ଥ । ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟ ବୈଠକ ପରେ ପାର୍ଥ ଚାଟାର୍ଜୀଙ୍କୁ ସମସ୍ତ ମନ୍ତ୍ରୀ ପଦରୁ ବିଦା କରିଥିଲେ । ଏହାପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ପ୍ରଥମ ଥର ପାଇଁ ପାର୍ଥ ଚାଟାର୍ଜୀ ଧାଡିକିଆ ପ୍ରତିକ୍ରିୟା ଦେଇଛନ୍ତି । ପାର୍ଥଙ୍କୁ ଆଜି ମେଡିକାଲ ଚେକଅପ ପାଇଁ ନିଆ ଯାଇଥିଲା । ସେଠାରୁ ପୁଣିଥରେ ଇଡି ଅଫିସକୁ ଫେରିବା ବେଳେ ପାର୍ଥ ଧାଡିକିଆ ପ୍ରତିକ୍ରିୟା ଦେଇଛନ୍ତି । ପାର୍ଥଙ୍କ ସହ ଏହି ସମୟରେ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ମଧ୍ୟ ରହିଥିଲେ । ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରେ ପାର୍ଥଙ୍କ ସହ ଅର୍ପିତାଙ୍କର ମଧ୍ୟ ଭୂମିକା ଥିବା ଇଡି ସନ୍ଦେହ କରୁଛି । ଅର୍ପିତାଙ୍କ ଦୁଇଟି ଘରେ ଇଡି ରେଡ କରି ୫୦ କୋଟି ଟଙ୍କା ଓ ୫ କେଜିରୁ ଅଧିକ ସୁନା ମଧ୍ୟ ଜବତ କରିଛି । ଏବେ ଘଟଣାର ଅଧିକ ଖୋଳତାଡ କାରାଯାଉଛି ।