ସୁପ୍ରିମକୋର୍ଟଙ୍କୁ ନୋଟବନ୍ଦୀର କାରଣ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୧୬ରେ ହୋଇଥିବା ନୋଟବନ୍ଦୀ ଉପରେ ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି କେନ୍ଦ୍ର ସରକାର । ବହୁ ବିଚାର-ବିମର୍ଶ ପରେ ବିମୁଦ୍ରୀକରଣ ନିଷ୍ପତ୍ତି ନିଆଯାଇଥିବା ଏବଂ ଏହା ଜାଲି ନୋଟ, ଆତଙ୍କବାଦୀକୁ ଅର୍ଥ ଯୋଗାଣ, କଳା ଧନ ଏବଂ ଟ୍ୟାକ୍ସ ଚୋରି ସମସ୍ୟା ମୁକାବିଲାର ଏକ ବଡ଼ ରଣନୀତିର ଅଂଶ ଥିଲା ବୋଲି କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ର ସରକାର ନିଜ ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢି କହିଛନ୍ତି, ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ବାହାର କରିବା ଏବଂ ବିମୁଦ୍ରୀକରଣର ଏହି ନିଷ୍ପତ୍ତି ଆରବିଆଇ ସହ ବହୁ ବିଚାର-ବିମର୍ଶ ପରେ ନିଆଯାଇଥିଲା । ନୋଟବନ୍ଦୀ ପାଇଁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକାର ଜବାବରେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଏହା କହିଛନ୍ତି । ଏହି ମାମଲା ଉପରେ ପାଞ୍ଚ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଶୁଣାଣି କରୁଛନ୍ତି । ଆସନ୍ତା ୨୪ରେ ମାମଲା ଉପରେ ପରବର୍ତ୍ତୀ ଶୁଣାଣି ହେବ । ସାମ୍ୱିଧାନିକ ଖଣ୍ଡପୀଠ ନୋଟବନ୍ଦୀ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ୫୮ଟି ଯାଚିକା ଉପରେ ଶୁଣାଣି କରୁଛନ୍ତି । ଗତ ମାସରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି କହିଥିଲେ ଯେ, ସେ ସରକାରଙ୍କ ନୀତିଗତ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷାର ଲକ୍ଷ୍ମଣରେଖା ସହ ଅବଗତ ଅଛନ୍ତି । ଏହାସହ ମାମଲା ସାମ୍ୱିଧାନିକ ଖଣ୍ଡପୀଠ ଆଗରେ ଉପସ୍ଥାପିତ ହୋଇଥିବାରୁ, ଏହା ଉପରେ ଜବାବ ଦେବା ସରକାରଙ୍କ କର୍ତ୍ତବ୍ୟ ।

Comments (0)
Add Comment