ତିରୁପତି,୨୫/୯: ଆଜି ପ୍ରତ୍ୟୁଷରେ ତିରୁପତି ଜିଲ୍ଲାର ରେନିଗୁଣ୍ଟା ଥାନା ଅଧୀନରେ ଥିବା ଏକ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ଜଣେ ଡାକ୍ତର ଓ ତାଙ୍କର ଦୁଇ ସନ୍ତାନ ପ୍ରାଣ ହରାଇଛନ୍ତି । ଦମକଳ କର୍ମଚାରୀମାନେ କହିଛନ୍ତି ଯେ, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଛି । କାର୍ତ୍ତିକେୟ ହସ୍ପିଟାଲ୍ର ପ୍ରଥମ ଓ ଦ୍ୱିତୀୟ ତାଲାରେ ଡାକ୍ତର ରବିଶଙ୍କର ରେଡ୍ଡୀଙ୍କ ପରିବାର ଶୋଇଥିବା ବେଳେ ରାତି ୩ଟାରୁ ୪ଟା ମଧ୍ୟରେ ନିଆଁ ଲାଗିଥିଲା । ଡାକ୍ତର ରେଡ୍ଡୀ କୋଠା ଭିତରେ ଥିବା ପାହଚ ବାଟେ ତଳକୁ ଆସୁଥିବା ବେଳେ ଧୂଆଁ ଯୋଗୁଁ ବାଟବଣା ହୋଇ ପଡିଯାଇ ସମ୍ପୂର୍ଣ୍ଣ ପୋଡିଯାଇଲେ । ଦମକଳ ବାହିନୀ କର୍ମଚାରୀମାନେ କବାଟ ଭାଙ୍ଗି ଦୁଇ ପିଲାଙ୍କୁ ତଳକୁ ଆଣି ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ, ପ୍ରଶ୍ୱାସରେ ମାତ୍ରାଧିକ ବିଷାକ୍ତ କାର୍ବନ୍ ମନୋକ୍ସାଇଡ୍ ଗ୍ୟାସ୍ ନେଇଥିବାରୁ ସେମାନଙ୍କୁ ବଞ୍ଚାଯାଇ ପାରିଲା ନାହିଁ । ଦମକଳ ବାହିନୀର ଜଣେ କର୍ମଚାରୀ କହିଛନ୍ତି, ଘରେ ବହୁ ଆସବାବ୍ପତ୍ର ଓ ଘରକରଣା ଉପକରଣ ଥିବା ବେଳେ ଧୂଆଁ ବାହାରି ଯିବାକୁ ଯଥେଷ୍ଟ କବାଟ କି ଝରକା ନ ଥିଲା । ତେଣୁ, ଘର ଗ୍ୟାସ୍ ଚେମ୍ବର୍ ପାଲଟି ଯାଇଥିଲା । ୫ ବର୍ଷ ତଳେ ନିର୍ମିତ ଉକ୍ତ ୩ ମହଲାବିଶିଷ୍ଟ ଉକ୍ତ ଅଟ୍ଟାଳିକାର ଗ୍ରାଉଣ୍ଡ୍ ଫ୍ଲୋର୍ରେ ‘କ୍ଲିନିକ୍ ଓ ହସ୍ପିଟାଲ୍’ ଚାଲିଥିବା ବେଳେ ଉପର ୨ ତାଲାରେ ଦୁଇଟି ଡ୍ୟୁପ୍ଲେକ୍ସ୍ ଘର ଥିଲା ।