ୟଙ୍ଗ ଇଣ୍ଡିଆ ଅଫିସରେ ପୁଣି ଚଢାଉ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅଡୁଆ ଥମିବାର ନାଁ ନେଉନାହିଁ । ଗୁରୁବାର କଂଗ୍ରେସ ପାର୍ଟିର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ହେରାଲ୍ଡ ହାଉସରେ ଇଡି ଅଧିକାରୀଙ୍କ ସାମ୍ନାରେ ନିଜେ ହାଜର ହୋଇଛନ୍ତି । କଂଗ୍ରେସ ମାଲିକାନାରେ ଥିବା ଖବରକାଗଜ ନ୍ୟାସନାଲ ହେରାଲ୍ଡର ସହ କମ୍ପାନୀ ୟଙ୍ଗ ଇଣ୍ଡିଆର ଅଫିସରେ ଇଡିର ଚଢାଉ ପୁଣି ଥରେ ଆରମ୍ଭ ହୋଇଯାଇଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା ୮୦ ବର୍ଷୀୟ ଖଡଗେ ମଧ୍ୟାହ୍ନ ପ୍ରାୟ ୧୨ଟା୪୦ରେ ଆଇଟିଓ ନିକଟସ୍ଥ ବାହାଦୂର ଶାହ ଜଫର ମାର୍ଗ ସ୍ଥିତ ହେରାଲ୍ଡ ଭବନ ପହଞ୍ଚି ଇଡି ଅଧିକାରୀଙ୍କୁ ଭେଟିଛନ୍ତି । କମ୍ପାନୀର ପ୍ରମୁଖ ଅଧିକାରୀ ହୋଇଥିବାରୁ ଇଡି ୟଙ୍ଗ ଇଣ୍ଡିଆର ଅଫିସରେ ଚଢାଉ ସମୟରେ ଖାଡଗେଙ୍କ ଉପସ୍ଥିତି ଦାବି କରିଥିଲେ । ୟଙ୍ଗ ଇଣ୍ଡିଆନର ଅଂଶଧନକାରୀଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାମ ସାମିଲ୍‌ । କଂଗ୍ରେସର ଅଧ୍ୟକ୍ଷାଙ୍କ ନିକଟରେ କମ୍ପାନୀର ୩୮ ପ୍ରତିଶତ ଅଂଶଧନ ରହିଛି ।ଏହା ପୂର୍ବରୁ ଇଡି ବୁଧବାର ଚାରି ମହଲା ହେରାଲ୍ଡ ହାଉସର ଏକ ଅଂଶକୁ ସିଲ୍‌ କରିଥିଲା । ଇଡି ସିଲ୍‌ କରିବା ପଛରେ ପ୍ରମାଣକୁ ସଂରକ୍ଷିତ ରଖାଯିବା କଥା କହିଥିଲା । ଇଡିର କହିବା କଥା ଗୋଟିଏ ଅଂଶରେ ତାଲା ଲାଗିବା କାରଣରୁ ଏହାର ତଲାସି ନିଆଯାଇ ପାରିନଥିଲା । ଏପରିକି ତଲାସି ସମୟରେ କୌଣସି ଅଧିକୃତ ପ୍ରତିନିଧି ମଧ୍ୟ ଉପସ୍ଥିତ ନଥିଲେ । ତେବେ ଆଜିର କାର୍ଯ୍ୟାନୁଷ୍ଠାନ ପରେ ୟଙ୍ଗ ଇଣ୍ଡିଆ ଅଫିସର ତଲାସି ଏବେ ବନ୍ଦ ରଖାଯିବ ବୋଲି ଅଧିକାରୀ କହିଛନ୍ତି । ଯାହା କିଛି ସମ୍ଭାବିତ ପ୍ରମାଣ ରହିଛି,ଏହାକୁ ଏକତ୍ର କରାଯିବ ।
ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ଖବରକାଗଜ ଏବଂ ୱେବପୋର୍ଟାଲର କାର୍ଯ୍ୟାଳୟ ହେରାଲ୍ଡ ହାଉସ୍‌ ଭବନର ଚତୁର୍ଥ ମହଲାରେ ରହିଛି । ଏଠାରେ ସଂପାଦକୀୟ ବିଭାଗ ଏବଂ ପ୍ରଶାସନିକ ବିଭାଗର କର୍ମଚାରୀ କାମ କରନ୍ତି । ନ୍ୟାସନାଲ ହେରାଲ୍ଡ ଖବରକାଗଜ ଆସୋସିଏଟ ଜର୍ଣ୍ଣାଲ୍ସ ଲିମିଟେଡ୍‌(ଏଜେଏଲ) ଦ୍ୱାରା ପ୍ରକାଶିତ କରାଯାଏ ଏବଂ ଏହାର ହୋଲ୍ଡିଂ କମ୍ପାନୀ ୟଙ୍ଗ ଇଣ୍ଡିଆ । ଖବରକାଗଜର କାର୍ଯ୍ୟାଳୟ ଏଜେଏଲ ନାମରେ ପଞ୍ଜୀକରଣ କରାଯାଇଛି ।

Comments (0)
Add Comment