୩୦ବର୍ଷ ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍‌

ନୂଆଦିଲ୍ଲୀ: ଦୀର୍ଘ ୩୦ ବର୍ଷ ପରେ କଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍‌ । ଆଜି ପୁଲୱାମା ଓ ସୋପିଆନର ୨ଟି ସିନେମାହଲର ଉଦଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ୨ଟି ସିନେମାହଲ୍‌ ୧୦୦ ସିଟ୍‌ ବିଶିଷ୍ଟ ଏବଂ ଏହାକୁ ସରକାର ପରିଚାଳନା କରିବେ । ଏଗୁଡ଼ିକୁ ଫିଲ୍ମ ସ୍କ୍ରିନିଂ ସହିତ କଶ୍ମୀରର ଯୁବକଯୁବତୀଙ୍କୁ ବିଭିନ୍ନ ପ୍ରଶିକ୍ଷଣଧର୍ମୀ ଭିଡିଓ ଦେଖାଇବାରେ ଏବଂ ସେମାନଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ଉପଯୋଗ କରାଯିବ ବୋଲି ସୂଚନା ମିଳିଛି । ଆଜିର ଦିନକୁ କଶ୍ମୀର ପାଇଁ ଐତିହାସିକ ବୋଲି କହିଛନ୍ତି ଉପରାଜ୍ୟପାଳ । ଏଥିସହ ସେ ସିନେମା ହଲରେ ଭାଗ୍‌ ମିଲ୍ଖା ଭାଗ୍‌ ଦେଖୁଥିବା ଭିଡିଓ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି । ଆଉ ଏକ ଖୁସିର କଥା ହେଉଛି ଯେ,ଆସନ୍ତା ୨୦ ତାରିଖରେ ଶ୍ରୀନଗରରେ ଏକ ଘରୋଇ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଛି । ସେଠାରେ ୩ଟି ସ୍କ୍ରିନ୍‌ ସହିତ ୫୨୦ ଦର୍ଶକଙ୍କ ଦେଖିବାର ବ୍ୟବସ୍ଥା ରହିଛି । ଏହି ମଲ୍ଟିପ୍ଲେକ୍ସରେ ପ୍ରଥମେ ଲାଲ୍‌ ସିଂ ଚଢ଼ା ପ୍ରଦର୍ଶିତ ହେବ । ସୂଚନା ଥାଉକି,୧୯୯୦ ମସିହା ବେଳକୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରୁ ମାଲିକମାନେ ସିନେମାହଲ୍‌ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।

Comments (0)
Add Comment