ୟୁକ୍ରେନର ବଡ ଦାବି : ଗୋଟିଏ ଦିନରେ ଋଷ୍‌ର ୮ଶହ ସୈନ୍ୟ ନିହତ, ବହୁ ସଂଖ୍ୟକ ଟ୍ୟାଙ୍କ ଓ ବିମାନ ଧ୍ୱଂସ

କିଭ: ଋଷ୍‌ର ଆକ୍ରମଣ ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହାର ସୌନ୍ୟବାହିନୀ ୮୦୦ ରୁଷୀୟ ସୈନିକଙ୍କୁ ହତ୍ୟା କରିଛନ୍ତି । ଏହା ବ୍ୟତୀତ ବହୁ ସଂଖ୍ୟକ ଟ୍ୟାଙ୍କ ଏବଂ ବିମାନ ମଧ୍ୟ ନଷ୍ଟ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଗୁରୁବାର ସନ୍ଧ୍ୟାରେ ଚାଲିଥିବା ଅପରେସନରେ ଋଷ ସେନାର ୩୦ ଟି ଟ୍ୟାଙ୍କ, ଅନେକ ବିମାନ ଏବଂ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ଦେଶର ପ୍ରତ୍ୟେକ ଦକ୍ଷ ବ୍ୟକ୍ତିଙ୍କୁ ଋଷର ଆକ୍ରୋଶ ବିରୁଦ୍ଧରେ ଅସ୍ତ୍ର ଉଠାଇବାକୁ ଆହ୍ୱନ କରିଛନ୍ତି ।
ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ୍‌ କରି କହିଛ ଯେ ୮୦୦ ଶତ୍ରୁ ସୈନିକ ନିହତ ହୋଇଛନ୍ତି । ଏହା ବ୍ୟତୀତ ୭ଟି ହେଲିକପ୍ଟର ଏବଂ ୬ ଟି ଟ୍ୟାଙ୍କ ମଧ୍ୟ ନଷ୍ଟ ହୋଇଯାଇଛି । ଋଷର ଆକ୍ରମଣ ପରଠାରୁ ବ୍ରିଟେନ, ଆମେରିକା, କାନାଡା ସମେତ ବିଶ୍ୱର ଅନେକ ଦେଶ ଏହାକୁ ନିନ୍ଦା କରିଛନ୍ତି । ତେବେ ଏହା ପରେ ମଧ୍ୟ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେନା ପ୍ରତ୍ୟାହାର କରିବାର କୌଣସି ସଙ୍କେତ ଦେଇନାହାଁନ୍ତି ।
ଏହି ସମୟରେ, ଶୁକ୍ରବାର ସକାଳେ ୟୁକ୍ରେନର ରାଜଧାନୀ କିଭରେ ପୁଣି ଥରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ୟୁକ୍ରେନର ଡେପୁଟି ଗୃହମନ୍ତ୍ରୀ ୟେଭେନି ୟେସେନିନ୍‌ କହିଛନ୍ତି ଯେ ଏହି ବିସ୍ଫୋରଣ ଋଷର ସୈନ୍ୟବାହିନୀ ଦ୍ୱାରା ନୁହେଁ, ବରଂ ୟୁକ୍ରେନ ଦ୍ୱାରା ହୋଇଛି । ସେ କହିଛନ୍ତି ଯେ ୟୁକ୍ରେନର ଆଣ୍ଟି-ମିସାଇଲ୍‌ ସିଷ୍ଟମ ଆକାଶରେ ଏକ ଋଷର କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି । ଏହା ତାହାର ବିସ୍ଫୋରଣ ଥିଲା । ଯୁଦ୍ଧ ଆରମ୍ଭରୁ ଉଭୟ ୟୁକ୍ରେନ ଏବଂ ଋଷ ଭିନ୍ନ ଭିନ୍ନ ଦାବି କରୁଛନ୍ତି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଏହା ୟୁକ୍ରେନ ସହ ଜଡିତ ୭୦ ଟି ସାମରିକ ବେସକୁ ଧ୍ୱଂସ କରିଦିଆଯାଇଛି ।

Comments (0)
Add Comment