ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ଚାଲିଛି ଭବ୍ୟ ରାମ ମନ୍ଦିର । ଖୁବ ଜୋର୍ସୋର୍ରେ ମନ୍ଦିର ନିର୍ମାଣ କାମ ଚାଲିଛି । ଶହ ଶହ କାରିଗର ଏହି କାମରେ ଲାଗିଛନ୍ତି । ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହେବାରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏହା କହିଛନ୍ତି । ତାଙ୍କ କହିବା ଅନୁସାରେ,ରାମ ମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଯେବେ ମନ୍ଦିର କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ଅନୁମାନ କରାଯାଉଥିଲା କି, ମନ୍ଦିର ନିର୍ମାଣରେ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ବର୍ତ୍ତମାନ ଆକଳନ କରାଯାଉଛି ଯେ ଭବ୍ୟ ରାମମନ୍ଦିର ନିର୍ମାଣରେ ୧୮୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ପରବର୍ତ୍ତୀ ମୁହୂର୍ତ୍ତରେ ଏଥିରେ ସଂଶୋଧନ ହୋଇପାରେ ବୋଲି ଚମ୍ପତ ରାୟ ସ୍ପଷ୍ଟ କରିଛନ୍ତି । ଗତ ରବିବାର ଶ୍ରୀରାମଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ଯେ, ରାମ ଜନ୍ମଭୂମୀ ପରିସରରେ ହିନ୍ଦୁ ଧର୍ମ ସହ ଜଡିତ ମହାନ୍ ସାଧୁ ସନ୍ଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଯେପରିକି, ମହର୍ଷି ବଲ୍ମିକି, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମାତା ଶବରୀ, ଜଟାୟୁଙ୍କୁ ସମ୍ମାନପୂର୍ବକ ପୂଜା ପାଇଁ ସ୍ଥାନ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାକ୍ରମେ ଉତ୍ତର ପ୍ରଦେଶର ପବିତ୍ର ଅଯୋଧ୍ୟା ନଗରୀରେ ମନ୍ଦିର ତୋଳିବା ପାଇଁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ’ ଗଠିତ ହୋଇଥିଲା । ବାରମ୍ବାର ବୈଠକ ବସାଯାଇ ମନ୍ଦିର ନିର୍ମାଣ ନିମନ୍ତେ ରୀତିନୀତି ଏବଂ ମାନୁଆଲ୍ ଅନୁମୋଦନ କରାଯାଇଥିଲା । ମନ୍ଦିର ବେଢାରେ ସାଧୁ ସନ୍ଥମାନଙ୍କର ପ୍ରତିମା ନିର୍ମାଣ କରିବା ଲାଗି ସ୍ଥାନ ଚୟନ କରିବାକୁ ସର୍ବସମ୍ମତିକ୍ରମେ ଫୈଜାବାଦ୍ ସର୍କିଟ୍ ହାଉସ୍ରେ ଆୟୋଜିତ ବୈଠକରେ ସ୍ଥିର କରାଯାଇଥିଲା ।