ଲଣ୍ଡନ୍: ସାମାନ୍ୟରୁ ମଧ୍ୟମ ଧରଣର ସଂକ୍ରମିତ ହୋଇଥିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସଙ୍କଟଜନକ ଅବସ୍ଥା ଥିବା ରୋଗୀମାନଙ୍କ ପାଇଁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଫାଇଜର୍’ର କୋଭିଡ୍ ଭୂତାଣୁ ନିରୋଧୀ ବଟିକା ‘ପାକ୍ସ୍ଲୋଭିଡ୍’କୁ ଅନୁମୋଦନ କରିଛି । ‘ବିଏମ୍ଜେ’ ମେଡିକାଲ୍ ଜର୍ଣ୍ଣାଲ୍ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞମାନେ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ଔଷଧ କମ୍ପାନି ‘ଫାଇଜର୍’ର ‘ନିର୍ମାଟ୍ରେଲ୍ଭିର୍’ ଏବଂ ‘ରିଟୋନେଭିର୍’ ମିଶ୍ରଣରେ ପ୍ରସ୍ତୁତ କରିଥିବା ଔଷଧ ଟିକା ନ ନେଇଥିବା, ବୟୋଜ୍ୟେଷ୍ଠ ଅଥବା ରୋଗ ପ୍ରତିରୋଧକ ଶକ୍ତି ନ ଥିବା କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଉତ୍ତମ ବିକଳ୍ପ । ସୂଚନାଯୋଗ୍ୟ, ଏହି ଧରଣର ରୋଗୀଙ୍କ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ବାୟୋଟେକ୍ ଫାର୍ମ ‘ଜିଲ୍ଡ୍’ଦ୍ୱାରା ନିର୍ମିତ ଭୂତାଣୁ ନିରୋଧୀ ଔଷଧ ‘ରେମ୍ଡେସିଭିୟର୍’କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସର୍ତ୍ତମୂଳକ ଅନୁମୋଦନ ଦେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞମାନେ କହିଛନ୍ତି, ଏବେ ମିଳୁଥିବା ବିକଳ୍ପଗୁଡିକ ଠାରୁ ‘ଫାଇଜର୍’ର ଏହି ଖାଇବା ଔଷଧ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ରକ୍ଷା କରୁଛି । ଏହାର ପ୍ରୟୋଗ ସହଜ ଏବଂ ଅନ୍ୟ ଔଷଧ ଅପେକ୍ଷା କମ୍ କ୍ଷତିକାରକ । ୩,୧୦୦ଜଣ ରୋଗୀଙ୍କ ଉପରେ ଦୁଇଟି ପର୍ଯ୍ୟାୟରେ ପ୍ରୟୋଗ କରାଯାଇ ପରୀକ୍ଷା କରାଯିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଔଷଧକୁ ଅନୁମୋଦନ କରିଛି ।