ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଖୁବଶୀଘ୍ର ଇସ୍ତଫା ଦେବେ। ଗୋଟିଏ ପଟେ ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେ ଚଣ୍ଡିଗଡ଼ ସ୍ଥିତ ନିଜ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ସେଠାରେ ରାଜଭବନ ଯାଇ ରାଜ୍ୟପାଳନଙ୍କୁ ଭେଟିବେ। ଏହାପରେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି।
ପଞ୍ଜାବରେ କଂଗ୍ରେସ ହାରିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଚନ୍ନି ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟର ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ୍ ୮୯ଟି ଆସନରେ ଲିଡ୍ କରୁଛି। ଭୋଟ ଗଣତି ବେଳ ଠାରୁ ହିଁ ଆପ୍ ଅନ୍ୟ ସମସ୍ତ ରାଜନୀତିକ ଦଳଗୁଡ଼ିକ ଠାରୁ ଆଗରେ ରହିଛି।
ଏହି ଟ୍ରେଣ୍ଡ ଜାରି ରହିଲେ ଆପ୍ ହିଁ ପଞ୍ଜାବରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବ। ଏବେ ସୁଦ୍ଧା କଂଗ୍ରେସ ୧୩ଟି ଆସନରେ ଆଗରେ ଥିବା ବେଳେ ଅକାଳୀ ମେଣ୍ଟ ୯, ବିଜେପି ମେଣ୍ଟ ୫ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଚନ୍ନି ଏଥର ୨ଟି ଆସନରୁ ନିର୍ବାଚନ ଲଢ଼ୁଥିଲେ। ହେଲେ ଦୁଇଟି ଯାକ ଆସନରେ ସେ ପଛରେ ରହିଛନ୍ତି।