ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ଏହି ଗୁରୁମନ୍ତ୍ର ଦେଲେ ମୋଦୀ

ନୂଆଦିଲ୍ଲୀ,୨୦/୫ : ବିଜେପି ଏକ ସମର୍ପିତ ଓ ଉତ୍ସର୍ଗୀକୃତ ଦଳ । ୨୦୧୪ ପୂର୍ବରୁ ଏହା ଲୋକଙ୍କ ସହିତ ଯୋଡ଼ହୋଇ ରହିଥିଲା ଏବଂ ଏବେ ବି ଏହା ଲୋକଙ୍କ ସେବାରେ ବ୍ରତୀ । ତେବେ ବିଜେପିକୁ ଆହୁରି ଲୋକପ୍ରିୟ କରିବାର ଆବଶ୍ୟକତା ରହିଛି । ଲୋକଙ୍କ ସହିତ ଶତପ୍ରତିଶତ ଯୋଡ଼ିହୋଇ ରହିବାକୁ ପଡ଼ିବ । ଆଗାମି ଦିନରେ ସଫଳତା ପାଇଁ ଏବେଠୁ ନିଷ୍ଠାର ସହ ପ୍ରୟାସ କରିବାକୁ ହେବ । ଆସନ୍ତା ୨୫ ବର୍ଷ ପାଇଁ ଆମକୁ ରଣନୀତିତଥା ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ । ଦଳର ରାଷ୍ଟ୍ରୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏଭଳି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦୀ କହିଛନ୍ତି ଯେ ଚଳିତ ମାସରେ ଏନଡିଏ ସରକାରଙ୍କୁ ୮ ବର୍ଷ ପୂରିବ । ଏହି ୮ ବର୍ଷ ମଧ୍ୟରେ ଆମେ ପ୍ରତିଶ୍ରୁତିବଦ୍ଧ ହୋଇ ସେବା କରିଚାଲିଛୁ । ଗରିବଙ୍କ କଲ୍ୟାଣ ପାଇଁ ଏହି ୮ ବର୍ଷ ମଧ୍ୟରେ ଅନେକ କିଛି କରାଯାଇଛି । ଚାଷୀ, ଶ୍ରମିକ ଓ ମଧ୍ୟବିତ୍ତଙ୍କ ଆଶା ୮ ବର୍ଷ ମଧ୍ୟରେ ପୂରଣ ହୋଇଛି । ୮ ବର୍ଷ ଧରି ଦେଶରେ ସମତୁଲ ବିକାଶ, ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ୮ ବର୍ଷ ମା’, ଝିଅ ଓ ଭଉଣୀଙ୍କ ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ । ୨୦୧୪ ପରେ ବିଜେପି ନେତୃତ୍ୱାଧୀନ ସରକାର ଲୋକଙ୍କ ବିଶ୍ୱାସ ଜିତି ପାରିଛି । ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ପୁଣି ବଢିଛି । ବର୍ତ୍ତମାନ ପୂରା ବିଶ୍ୱ ଭାରତକୁ ବେଶ୍‌ ଆଶାବାଦୀ ହୋଇ ଚାହିଁ ରହିଛି । ଦେଶରେ ବିଜେପି ପ୍ରତି ଲୋକଙ୍କର ଏକ ସ୍ୱତନ୍ତ୍ର ଆଦର ଓ ଆକର୍ଷଣ ରହିଛି ବୋଲି ସେ କହିଥିଲେ ।

Comments (0)
Add Comment