ଶ୍ରୀନଗର: ଖରାପ ପାଗ ଏବଂ ରାସ୍ତା ଧସିବା ଯୋଗୁ ଅମରନାଥ ଯାତ୍ରାକୁ ଗୋଟିଏ ଦିନ ପାଇଁ ବନ୍ଦ ହୋଇଥିଲା। ଯାହା ପରେ ଆଜି ଅର୍ଥାତ୍ ଶୁକ୍ରବାର ପୁଣି ଏହି ଯାତ୍ରା ଆରମ୍ଭ ହୋଇଛି। ଆଜି ସକାଳେ ବାଲତାଲ ଏବଂ ପହଲଗାମ ଉଭୟ ରୁଟ୍ରେ ଯାତ୍ରା ପୁଣି ଆରମ୍ଭ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଆଜି ଶହ ଶହ ତୀର୍ଥଯାତ୍ରୀଙ୍କୁ ହିମାଳୟରେ ଥିବା ପବିତ୍ର ଗୁମ୍ଫା ଦର୍ଶନ କରିବାକୁ ଅନୁମତି ଦିଆଯାଇଛି।
ସୂଚନାଯୋଗ୍ୟ,ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ଗୁରୁବାର ଉଭୟ ବେସ୍ କ୍ୟାମ୍ପରୁ କୌଣସି ତୀର୍ଥଯାତ୍ରୀଙ୍କୁ ଗୁମ୍ଫା ମନ୍ଦିର ଆଡ଼କୁ ଯିବାକୁ ଅନୁମତି ଦିଆଯାଇ ନଥିଲା, କିନ୍ତୁ ମାର୍ଗ ମଧ୍ୟରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ୫୧୧୦ ତୀର୍ଥଯାତ୍ରୀଙ୍କୁ ସେମାନଙ୍କର ଯାତ୍ରା ଶେଷ କରିବାକୁ ଏବଂ ଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା।
ଅଧିକାରୀମାନେ କହିଛନ୍ତି, ଶୁକ୍ରବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ୭୯୦୮ ଅମରନାଥ ତୀର୍ଥଯାତ୍ରୀଙ୍କ ୧୬ ତମ ଦଳ କଡ଼ା ସୁରକ୍ଷା ମଧ୍ୟରେ ବାହାରିଛି।