ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସବୁ ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ

କଲକାତା: ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସେଠାରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପି ଓ ଅନ୍ୟ ଦଳଗୁଡିକ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହି ନିର୍ବାଚନରେ କୌଣସି ଦଳ ସହ ମେଣ୍ଟ ନ କରି କଂଗ୍ରେସ ସମସ୍ତ ୨୯୪ ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସର ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳଙ୍କ ସମେତ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶୁଭଙ୍କର ସରକାର, ପାଞ୍ଚଥରର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପଶ୍ଚିମବଙ୍ଗ ଦାୟିତ୍ବରେ ଥିବା ଗୁଲାମ ଅହମ୍ମଦ ମୀର କହିଛନ୍ତି ଯେ ଅତୀତରେ ପଶ୍ଚିମବଙ୍ଗ ନିର୍ବାଚନରେ ଅନ୍ୟ ଦଳ ସହ ଆସନ ବୁଝାମଣା କରି କଂଗ୍ରେସ ବହୁତ କ୍ଷତି ସହିଛି। ଏପରିକିି ଦଳର ତୃଣମୂଳସ୍ତରୀୟ ଭିତ୍ତିଭୂମିକୁ ମଧ୍ୟ ଦୁର୍ବଳ କରିଦେଇଛି। ତେଣୁ ଆଗାମୀ ନିର୍ବାଚନରେ ଦଳ ଏକୁଟିଆ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ୨୦୨୧ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ବାଧୀନ ସଂଯୁକ୍ତ ମୋର୍ଚ୍ଚା (ସିପିଆଇ, ସିପିଏମ, ଫରୱାର୍ଡ ବ୍ଲକ, ଇଣ୍ଡିଆନ ସେକୁଲାର ଫ୍ରଣ୍ଟ, ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି) ୨୯୪ ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିବାବେଳେ କେବଳ ଗୋଟିଏ ଆସନ ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ଭାଗରେ ପଡିଥିଲା। କଂଗ୍ରେସ ୯୧ ଆସନରେ ପ୍ରାର୍ଥୀ ଛିଡା କରିଥିବାବେଳେ ଗୋଟିଏ ହେଲେ ଆସନ ଅକ୍ତିଆର କରିପାରିନଥିଲା।

Comments (0)
Add Comment