ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଛି ବୋଲି ତାଙ୍କ ପୁଅ ଅଭିଜିତ୍ ରବିବାର ଟ୍ୱିଟ୍ କରି ଜଣାଇଛନ୍ତି । ଏପରିକି ପ୍ରଣବ ଖୁବ୍ଶୀଘ୍ର ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି । ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଠିକ୍ଠାକ୍ ଅଛି । ଏବଂ ପୂର୍ବାପେକ୍ଷା ସ୍ଥିତିରେ ଅଧିକ ଉନ୍ନତି ଆସୁଥିବା ନେଇ ଡାକ୍ତର କହିଥିବା କଥା ସେ ସୂଚନା ଦେଇଛନ୍ତି । ଅଭିଜିତ୍ କହିଛନ୍ତି ଯେ, ଗତକାଲି ମୁଁ ବାପାଙ୍କୁ ଡାକ୍ତରଖାନାକୁ ଭେଟିବା ପାଇଁ ଯାଇଥିଲି । ଈଶ୍ୱରଙ୍କ କୃପା ଏବଂ ଆପଣ ସମସ୍ତଙ୍କ ଶୁଭେଚ୍ଛା ପାଇଁ ସେ ପୂର୍ବ ଦିନ ଅପେକ୍ଷା ବହୁତ ଭଲ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ତାଙ୍କ ଶରୀରର ତାପମାତ୍ରା, ରକ୍ତଚାପ, ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସ୍ଥିର ରହିଛି ଏବଂ ସେ ସୁସ୍ଥ ହେବା ଆରମ୍ଭ କରିଛନ୍ତି । ଆମର ଦୃଢ଼ ବିଶ୍ୱାସ ଯେ, ସେ ଖୁବ ଶୀଘ୍ର ଆମ ପାଖକୁ ଫେରିବେ ବୋଲି ଲେଖିଛନ୍ତି ଅଭିଜିତ ମୁଖାର୍ଜୀ ।
ଉଲ୍ଲେଖଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିବା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା । ସୋମବାର ଅସ୍ତ୍ରୋପଚାର ପୂର୍ବରୁ ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ କୋଭିଡ-୧୯ ପାଇଁ ମଧ୍ୟ ହୋଇଥିବା ପରୀକ୍ଷାରେ କରୋନା ପଜିଟିଭ୍ ଥିବା ଜଣା ପଡିଥିଲା ଏବଂ ଏ ସଂପର୍କରେ ନିଜେ ପ୍ରଣବ ମୁଖାର୍ଜୀ ଟ୍ୱିଟ୍ କରି ସୂଚନା ଦେଇଥିଲେ ।