ସ୍ୱାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା

ନୂଆଦିଲ୍ଲୀ : ଚଳିତ ବର୍ଷ ବିଗତ ବର୍ଷଗୁଡ଼ିକ ତୁଳନାରେ ଏକ ସମ୍ପୂର୍ଣ୍ଣ ଭିନ୍ନ ପରିସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି । କରୋନା ମହାମାରୀ କାରଣରୁ ଏଥର କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଓ ଭିଡ଼ମୁକ୍ତ କରାଯାଇଛି । କାର୍ଯ୍ୟକ୍ରମ ସମୟରେ କରୋନାର ସବୁ ନିୟମକୁ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ୭ଟା ୩୦ ମିନିଟରେ ଜାତୀୟ ପତାକା ଉତ୍ତୋଳନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସୂଚନା ଅନୁଯାୟୀ, ସକାଳ ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ପହଞ୍ଚିବେ । ସେଠାରେ ୮ ରୁ ୧୦ ମିନିଟ୍‌ ରହି ପରେ ପ୍ରଧାନମନ୍ତ୍ରୀ ଲାଲ କିଲାକୁ ଯିବେ । ସକାଳ ୭ଟା ୧୮ମିନିଟରେ ପ୍ରଧାନମନ୍ତ୍ରୀ ଲାହୋର ଗେଟରେ ପହଞ୍ଚିବେ । ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯିବ । ଗାର୍ଡ ଅଫ୍‌ ଅନର ପ୍ରଦାନ ପରେ ପ୍ରଧାନମନ୍ତ୍ରୀ ସକାଳ ୭ଟା ୩୦ମିନିଟରେ ଜାତୀୟ ପତାକା ଉତ୍ତୋଳନ କରିବେ । ଏହି ସମୟରେ ଗାର୍ଡମାନେ ସଲାମ କରିବା ସହ ସେନାର ବ୍ୟାଣ୍ଡ ଜାତୀୟ ସଂଗୀତ ବଜାଇବେ ଏବଂ ୨୧ଟି ବନ୍ଧୁକର ସଲାମି ଦିଆଯିବ । ଏହି କାମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ୭ଟା ୩୨ମିନିଟରେରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସମ୍ବୋଧନ ପରେ ତୁରନ୍ତ ଏନସିସି କ୍ୟାଡେଟମାନେ ଜାତୀୟ ସଂଗୀତ ଗାନ କରିବେ । ଜାତୀୟ ସଂଗୀତ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଲାହୋର ଗେଟ ଛାଡିବେ । ପ୍ରଧାନମନ୍ତ୍ରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ, ସିଡିଏସ୍‌ ଏବଂ ସେନାର ତିନି ବିଭାଗର ମୁଖ୍ୟ ବିଦାୟ ଦେବେ ।

Comments (0)
Add Comment