ନୂଆଦିଲ୍ଲୀ : ଭାରତରେ କରୋନାର ଦୈନିକ ସଂକ୍ରମଣ ଏବେ ଆହୁରି ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଏପରିକି ଏ କ୍ଷେତ୍ରରେ ଭାରତ ଆମେରିକା ଓ ବ୍ରାଜିଲକୁ ମଧ୍ୟ ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୫୬ ହଜାର ୨୮୨ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ରୋଗୀ ଏହି ଦୁଇ ଦେଶରେ ଚିହ୍ନଟ ହୋଇନଥିବା ଜଣାପଡ଼ିଛି । ଭାରତର ଏହି ଦୈନିକ ନୂଆ ସଂକ୍ରମଣ ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୬୪ ହଜାର ୫୩୭ରେ ପହଞ୍ଚିଛି । ସେହିପରି, ୨୪ ଘଣ୍ଟାରେ ୯୦୪ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୩ ଲକ୍ଷ ୨୮ ହଜାର ୩୩୬ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୯୫ ହଜାର ୫୦୧ ରହିଛି ।
ଜାରି ହୋଇଥିବା ତାଲିକା ଅନୁସାରେ ଭାରତରେ ମୃତ୍ୟୁ ସଂଖ୍ୟା ୪୦ ହଜାର ପାର କରିଛି । ଦୁନିଆରେ ମୃତ୍ୟୁ ସଂଖ୍ୟାରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ଦେଶରେ ମୃତ୍ୟୁହାର ୨.୦୭ ପ୍ରତିଶତ ରହିଛି । ବୁଧବାର ଦିନ ଆଇସିଏମଆର ୬.୬୪ ଲକ୍ଷ ଟେଷ୍ଟ କରିଛି ଯାହା ଏବେ ସୁଦ୍ଧା ସର୍ବାଧିକ ଟେଷ୍ଟିଙ୍ଗ ୠ ଏହା ପୂର୍ବରୁ ଅଗଷ୍ଟ ୨ ତାରିଖରେ ୬.୬୧ ଟେଷ୍ଟିଙ୍ଗ ହୋଇଥିଲା । ଏବେ ସୁଦ୍ଧା ଦେଶରେ ୨.୨୧ କୋଟି ଟେଷ୍ଟିଙ୍ଗ ହୋଇଛି ।
ସୂଚନା ଅନୁଯାୟୀ, ୩ ଦିନ ପରେ ମହାରାଷ୍ଟ୍ରରେ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିଛି । ରାଜ୍ୟରେ ସୁସ୍ଥହାର ୬୫.୨ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଆନ୍ଧ୍ର ପ୍ରଦେଶରେ ୧ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି କିନ୍ତୁ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀରେ ସୁସ୍ଥହାର ୯୦ ପ୍ରତିଶତରୁ ୮୯.୯ ପ୍ରତିଶତ ହୋଇଛି । ଆକ୍ଟିଭ ମାମଲା ୧୦ ହଜାରରୁ ଅଧିକ ରହିଛି ।
ଭାରତ କ୍ରମାଗତ ଭାବେ ଦ୍ବିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬,୧୯,୬୫୨ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ମୋଟ ପରୀକ୍ଷା ସଂଖ୍ୟା ୨,୧୪,୮୪,୪୦୨ରେ ପହଞ୍ଚିଛି । ନିୟୁତ ପିଛା ପରୀକ୍ଷା ସଂଖ୍ୟା ଦ୍ରୁତ ଗତିରେ ୧୫,୫୬୮କୁ ବୃଦ୍ଧି ପାଇଛି । ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ ଉପଯୋଗ କରି ନମୁନା ପରୀକ୍ଷଣ ଲାଗି ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୯୨୦ଟି ସରକାରୀ ଓ ୪୪୬ଟି ଘରୋଇ ଏହିପରି ମୋଟ ୧୩୬୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।