ବିଜୟ ମାଲ୍ୟା ମାମଲା: ସୁପ୍ରିମ୍‌କୋର୍ଟ ଫାଇଲ୍‌ରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଗାଏବ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ବିଜୟ ମାଲ୍ୟାଙ୍କ ମାମଲା ସଂକ୍ରାନ୍ତ ଫାଇଲରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଗାଏବ ହୋଇଯାଇଛି । ଯାହାଫଳରେ ଏକ ନୂଆ ସମସ୍ୟା ଦେଖାଦେଇଛି । ଏହି କାରଣରୁ ମାଲ୍ୟାଙ୍କ ପୁନର୍ବିଚାର ଆବେଦନର ଶୁଣାଣିକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସୁପ୍ରିମ୍‌କୋର୍ଟଙ୍କ ଅବମାନନା କରିଥିବାରୁ ୨୦୧୭ରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ବିରୋଧରେ ଯାଇ ନିଜ ସମ୍ପତ୍ତିକୁ ନିଜ ପରିବାର ନାଁରେ କରିଥିଲେ ।
ସୁପ୍ରିମକୋର୍ଟରେ ଏହି ମାମଲାର ଫାଇଲରେ ବିଜୟ ମାଲ୍ୟାଙ୍କ ଫାଇଲର ଏକ ଦସ୍ତାବିଜ ମିଳୁନାହିଁ । ଯେଉଁଥିପାଇଁ ଗୁରୁବାର ଦିନ ଶୁଣାଣି ହୋଇପାରିନାହିଁ । ତିନି ବର୍ଷ ପୂର୍ବରୁ ମାଲ୍ୟା ପୁନର୍ବିଚାର ପାଇଁ ଆବେଦନ ଦାଏର କରିଥିଲେ । ତାହାର ଶୁଣାଣି ପାଇଁ ଗୁରୁବାର ଦିନ ଲିଷ୍ଟିଙ୍ଗ ହୋଇଥିଲା । ମାଲ୍ୟା କୋର୍ଟଙ୍କ ଆଦେଶ ଉଲଙ୍ଘନ କରି ନିଜ ପରିବାର ସଦସ୍ୟଙ୍କୁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ ।
ଗତ ମାସରେ ମାଲ୍ୟାଙ୍କ ଆବେଦନ ବିଳମ୍ବରେ ଲିଷ୍ଟିଙ୍ଗ କରାଯାଇଥିବାରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଉପରେ କ୍ଷୁବ୍ଧ ଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ୨୦୧୭ ମସିହାରେ ଦିଆଯାଇଥିବା ଆଦେଶର ୩ ବର୍ଷ ପରେ ରିଭ୍ୟୁ ପିଟିସନ ସାମ୍ନାକୁ ଆସିଥିଲା । କୋର୍ଟ ରେଜିଷ୍ଟ୍ରିକୁ ପଚାରିଥିଲେ ଯେ ଏବେ ଯାଏଁ ପିଟିସନ କାହିଁକି ସାମ୍ନାକୁ ଅଣାଯାଇନଥିଲା । କୋର୍ଟ ରେଜିଷ୍ଟ୍ରିକୁ ଏହି ମାମଲାରେ ଦୁଇ ସପ୍ତାହ ଭିତରେ ଜବାବ ଦେବାକୁ କହିଥିଲେ । କୋର୍ଟ ଏହି ମାମଲାରେ ରେଜିଷ୍ଟ୍ରି ଲିଷ୍ଟିଙ୍ଗ କରିବାରେ ଭେଦଭାବ କରୁଥିବା ଅଭିଯୋଗ କରି ଜଣେ ଓକିଲଙ୍କ ଉପରେ ରାଗିଥିଲେ ।
ମାଲ୍ୟା ୨୦୧୬ ମସିହାରୁ ବ୍ରିଟେନରେ ଅଛନ୍ତି ।

Comments (0)
Add Comment